ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଶିକ୍ଷା ଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ଗମନାଗମନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ସହିତ ଆବଶ୍ୟକ ଅର୍ଥ ବ୍ୟୟ ବରାଦ କରିଥାନ୍ତି । ଏଥିସହିତ ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି ।
ତେବେ ଏହା ମଧ୍ୟରେ ରାଜ୍ୟର ବିଧାୟକଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ପୂର୍ବରୁ ଏକାଧିକ ଥର ଦାବି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଆଗକୁ ରାଜ୍ୟର ବିଧାନସଭା ଗୃହରେ ଥିବା ବିଧାୟକଙ୍କର ସବୁ ଟେବୁଲମାନଙ୍କରେ କମ୍ପ୍ୟୁଟର ବ୍ୟବସ୍ଥା କରାଯିବ । ରାଜ୍ୟ ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପେପରଲେସ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏନେଇ ରାଜ୍ୟ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଧାନସଭାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଓ ଜାତୀୟ ଇ-ବିଧାନକୁ ନେଇ ଆଲୋଚନା ହୋଇଥିଲା । ଆସନ୍ତା ୧ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଥଲା । ପୂର୍ତ୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବିଧାନସଭା ସଚିବଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।