fbpx

ଏକାଗ୍ରତା ହିଁ ସଫଳତାର ଚାବିକାଠି, ଜାଣନ୍ତୁ କ’ଣ କହୁଛି ଚାଣକ୍ୟ ନୀତି

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବାକୁ ଚାହିଁଥାନ୍ତି । କିନ୍ତୁ ସଫଳତାର ପଥ ଏତେ ସହଜ ନଥାଏ । ଏଥିପାଇଁ ସଂଘର୍ଷ ଓ ଧୈର୍ଯ୍ୟ ଲୋଡ଼ା । କିଛି ବ୍ୟକ୍ତି ପ୍ରତିକୂଳ ପରିସ୍ଥିତିରେ ଘାବରାଇଯାଇ ରିସ୍କ ନେବାକୁ ଡରିଥାନ୍ତି । ନିଜ କମଫର୍ଟ ଜୋନ୍ ତ୍ୟାଗ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଫଳରେ ନିଜ କ୍ଷମତାକୁ ନେଇ ସନ୍ଦେହ କରିଥାନ୍ତି । ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆସିଥାଏ । ଅପରପକ୍ଷରେ ଦୃଢ଼ମନା ଓ ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତି ଜୀବନରେ ସବୁବେଳେ ଅଗ୍ରଗତି କରିଥାଏ । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ସଫଳତାର ମୂଳ ମନ୍ତ୍ର ବିଷୟରେ ଉଲ୍ଲେଖ କରିଛନ୍ତି ।

୧. ସଫଳତାର ପ୍ରଥମ ସୂତ୍ର ହେଉଛି ପରିଶ୍ରମ । କାର୍ଯ୍ୟ ପ୍ରତି ସଚ୍ଚୋଟତା ଏବଂ ସମର୍ପଣ ଭାବ ହିଁ ବ୍ୟକ୍ତିର ଦକ୍ଷତା ଏବଂ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଭଳି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ଥାଏ ।

୨. ଦାୟିତ୍ୱହୀନ ବ୍ୟକ୍ତି ଯେତେ ପରିଶ୍ରମ କଲେ ମଧ୍ୟ ସଫଳ ହୋଇନଥାଏ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ବ୍ୟକ୍ତି ଜଣଙ୍କ ଦାୟିତ୍ୱବାନ ହେବାର ଅଛି । ନିଜ ବ୍ୟତୀତ ଅନ୍ୟର ସୁଖ ଓ ସୁବିଧାକୁ ମଧ୍ୟ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉଚିତ । ନିଜ ପରିବାର ଏବଂ କାର୍ଯ୍ୟ ପ୍ରତି ଦାୟିତ୍ୱବାନ ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ସହ କୁବେର ଦେବତାଙ୍କ କୃପା ଲାଭ ହୋଇଥାଏ ।

୩. ମନୁଷ୍ୟର କର୍ମ ସେମାନଙ୍କ ଭଲ ଏବଂ ଖରାପ ସମୟର କାରଣ ପାଲଟିଥାଏ । ତେଣୁ ନିଜ କର୍ମ ପ୍ରତି ସଚ୍ଚୋଟତା ଏବଂ ପଦ ଓ ଆର୍ଥର ଅହଂକାର କରିବା ଠାରୁ ଦୂରେଇ ରୁହନ୍ତୁ । ମନେରଖନ୍ତୁ ଭଲ କର୍ମର ଫଳ ସୁଖ ଆଣିଥାଏ ଓ ଖରାପ କର୍ମର ଫଳ ଦୁଃଖ ।

୪. ବ୍ୟକ୍ତିର ବାଣୀ ଏବଂ ବ୍ୟବହାର ଅନ୍ୟର ହୃଦୟ ଜିତିବା ପାଇଁ ଯଥେଷ୍ଟ । ଏହା ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇଥାଏ । ଫଳରେ ସଫଳତା ହାସଲ କରିବା ଆହୁରି ସହଜ ହୋଇଥାଏ । ଅପରପକ୍ଷରେ ବାଣୀ ଏବଂ ବ୍ୟବହାର ଅସଫତାର କାରଣ ମଧ୍ୟ ପାଲଟିଥାଏ । ତେଣୁ ସ୍ଥାନ, କାଳ ଓ ପାତ୍ର ଦେଖି ନିଜ ମଧ୍ୟରେ ପରିବର୍ତ୍ତନ ଆଣିବା ଉଚିତ ।

୫. ନିଜ ଲକ୍ଷ୍ୟ ଉପରେ ଫୋକସ୍ କରନ୍ତୁ । ଏକାଗ୍ରତାର ସହ କାର୍ଯ୍ୟ କରିବା ଦ୍ୱାରା ସଫଳତା ସହଜରେ ମିଳିଥାଏ । ଦିଗହରା ହେଲେ ଲକ୍ଷ୍ୟ ପ୍ରାପ୍ତି ପଥରେ ବାଧାପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.