fbpx

Video: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

Advertisement

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତଥିଲା। ଗତକାଲି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ପହଂଚିଥିଲେ ଯେଉଁଠାରେ ସେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସନ୍ଧ୍ୟାରେ, ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଥିଲା।

ଗସ୍ତର ଦ୍ୱିତୀୟ ଦିନରେ ଆଜି ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବା ପରେ ‘ଏହା ଏକ ସ୍ମରଣୀୟ ଗସ୍ତ ଥିଲା ଏବଂ ଏହି ଗସ୍ତ ମୋ ଜୀବନର ଅନେକ ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିଛି’ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହାପରେ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଓ ଅନ୍ୟାନ୍ୟ ଉପକ୍ରମର ଶୁଭାରମ୍ଭ କରିଥିଲେ। ଦୁଇ ଦିନର କାର୍ଯ୍ୟକ୍ରମ ଶେଷ ହେବ ପରେ ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଦ୍ୱାରା ରାଷ୍ଟ୍ରପତି ଦିଲ୍ଲୀ ଫେରିଯାଇଛନ୍ତି। ଦିଲ୍ଲୀ ଯିବା ସମୟରେ ବିମାନ ବନ୍ଦରରେ ରାଜ୍ୟପାଳ ଗାଣେସି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

Get real time updates directly on you device, subscribe now.