fbpx

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି ସୂତା କିଅକୁ ଆହୁରି ଛନ୍ଦି ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବାରମ୍ବାର ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହାର ଆଉ ଏକ ପୁନରାବୃତ୍ତି ଦେଖିବାକୁ ମିଳିଛି । ଫେସବୁକରେ ତାଙ୍କର ଏକ ପୋଷ୍ଟ ଏବେ ରାଜ୍ୟ ରାଜନୀତିର ଆଲୋଚନାକୁ ଆହୁରି ଆକ୍ଟିଭ କରି ଦେଇଛି । ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ଅନୁଭବ ଏହି ପୋଷ୍ଟରେ ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ଲୋଡ଼ଇଛନ୍ତି । ତେଣୁ ଏହି ପୋଷ୍ଟକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଏବଂ ଅନେକ ଲୋକ ପ୍ରଶ୍ନବାଚୀ ଉଠାଇଛନ୍ତି ।

ବିଜୁ ଜନତା ଦଳର ଖୁବ ଚିହ୍ନମୁହଁ ଭାବରେ କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ଚଳିତ ନିର୍ବାଚନରେ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହାପରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ଗୁରୁଦାୟିତ୍ୱ ମଧ୍ୟ ଦେଇଛି । କିନ୍ତୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ରାଜନୀତି ମାହୋଲରେ ପୁଣିଥରେ ଚହଳ ସୃଷ୍ଟି ହୋଇଛି । ବିଜେପିରେ ମିଶିବା ପରେ ମଧ୍ୟ ଏହି ପୋଷ୍ଟରେ ଅନୁଭବ ବିଜେଡିର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ଏହାସହିତ ବିଜେପି ସରକାର ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ଅନୁଭବ ମହାନ୍ତି । କିନ୍ତୁ କାହିଁକି?

ଅନୁଭବ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବକୁ ଅନୁପ୍ରବେଶକାରୀଙ୍କ ଆଗରେ ନଇଁବାକୁ ଦେବା ନାହିଁ । ଆସନ୍ତୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ତଥା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ଆଶୀର୍ବାଦରୁ ଓଡ଼ିଶାରେ ନରେନ୍ଦ୍ର ମୋଦୀଙ୍କ ସାହସିକ ତଥା ଗତିଶୀଳ ନେତୃତ୍ୱରେ ବିଜେପି ସରକାର ଗଠନ କରି ନୂତନ ଆରମ୍ଭ କରିବା ।’ ତେବେ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ସହ ଅନୁଭବ କାହିଁକି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ବୋଲି ଏବେ ରାଜନୀତି ଦୁନିଆରେ ପ୍ରଶ୍ନ ଉଠିଛି । ତେବେ ଏହି ପୋଷ୍ଟରେ ଅନୁଭବ ବିଜେଡି ସୁପ୍ରିମୋଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ନାହାନ୍ତି । ବର୍ତ୍ତମାନ ଏହି ପୋଷ୍ଟକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନୁଭବଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏହାକୁ ନେଇ ଖୁବ ଆଲୋଚନା ଆରମ୍ଭ ହୋଇଛି ।

Get real time updates directly on you device, subscribe now.