fbpx

କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ୩ ଜଣ ବଡ଼ ନେତାଙ୍କୁ ବଡ଼ ରାଜ୍ୟ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏହାପୂର୍ବରୁ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ ଦେଶର ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ପୁଣି ଥରେ ତା’ର ଆତ୍ମବିଶ୍ୱାସ ଫେରି ପାଇଛି । ତେଣୁ ଦଳ ଆଗକୁ ହେବାକୁ ଥିବା ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ କରିଛି ।

ନିକଟରେ ବିଜେପି ବିଭିନ୍ନ ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେବା ସହ ଆଜି ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ଲିଷ୍ଟ ଜାରି କରିଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । କଂଗ୍ରେସ ତା’ର ସଂଗଠନରେ ଏକ ବଡ଼ଧରଣର ପରବର୍ତ୍ତନ କରିଛି । ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ରଣଦୀପ ସୂର୍ଯେୱାଲାଙ୍କୁ ମଧ୍ୟପ୍ରଦେଶର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମୁକୁଲ ୱାସନିକଙ୍କୁ ଗୁଜରାଟ ପ୍ରଭାରୀ ମହାସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ରଣଦୀପ ପୂର୍ବରୁ ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଥିଲେ । ଏବେ ତାଙ୍କୁ ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କ ସ୍ଥାନରେ ପ୍ରଭାରୀ ମହାସଚିବ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସୂର୍ଯେୱାଲାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେହିପରି ଅଜୟ ଦୁଇଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣାସୀରୁ ଲୋକସଭା ନିର୍ବାଚନ ଲଢ଼ିଥିବାରୁ ତାଙ୍କୁ ୟୁପିର ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ଦଳ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.