fbpx

ଏଥର ରାଜ୍ୟସଭାରେ ୪୦ ସିଟ୍ ବି ହାତେଇ ପାରିବନି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ତାଙ୍କର ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି ସମୟରେ ସେ ମନଇଚ୍ଛା କଂଗ୍ରେସ ଉପରେ ବର୍ଷିଛନ୍ତି। ନିକଟରେ ଲୋକସଭାରେ କଂଗ୍ରେସକୁ ନେଇ କଡା ସମାଲୋଚନା କରିଥିବା ବେଳେ ଆଜି ରାଜ୍ୟସଭାରେ ବି ବିରତି ଦେଇନାହାନ୍ତି ମୋଦୀ। କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସବୁଠାରୁ ପୁରୁଣା ଦଳର ଚିନ୍ତାଧାରା ବି ପୁରୁଣା । ସେଥିପାଇଁ ସେମାନଙ୍କ କାର୍ୟ୍ୟଶୈଳୀ ଜନତାଙ୍କୁ ପସନ୍ଦ ଆସୁନାହିଁ । ଏଥର ଲୋକସଭାରେ ୪୦ ସିଟ୍ ବି ହାତେଇ ପାରିବ ନାହିଁ କଂଗ୍ରେସ ପାର୍ଟି।

ଅନ୍ୟପଟେ ପୁଣି ଲୋକସଭା ଦମ୍ଭୋକ୍ତି ଦୋହରାଇ ମୋଦୀ କହିଛନ୍ତି, ଏଥର ଭାରତୀୟ ଜନତା ପାର୍ଟି ୪୦୦ ଆସନ ହାତେଇ ତୃତୀୟ ପାଳିର ସରକାର ଗଢିବ। ଆଉ ଆମ ସରକାରର ୧୦ ବର୍ଷରେ ଭାରତ ବିଶ୍ୱ ଅର୍ଥନୀତିରେ ୫ମ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହୋଇ ପାରିଛି । ଖୁବଶୀଘ୍ର ଏହା ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ଏହା ସହ ମୋଦୀ କହିଛନ୍ତି, ଆମେ ବହୁତ ପରିଶ୍ରମ କରି ଦେଶକୁ ସଂକଟରୁ ବାହାରକୁ ଆଣିଛୁ । ଖାଲିଟାରେ ଆମକୁ ଦେଶବାସୀ ଆଶୀର୍ବାଦ ଦେଉ ନାହାଁନ୍ତି ବୋଲି ମୋଦୀ କହିଛନ୍ତି।

ସୂଚନା ଥାଉକି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଫେବୃୟାରୀ ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବଜେଟ୍ ଅଧିବେଶନ ଶେଷ ଅଧିବେଶନ ଅଟେ। ତେବେ ଧନ୍ୟବାଦ ପ୍ରସ୍ତାବ ରଖିବା ସମୟରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିବା ସହ କଂଗ୍ରେସକୁ ବିଭିନ୍ନ ଦିଗରୁ ସମାଲୋଚନା କରିଛନ୍ତି।

Get real time updates directly on you device, subscribe now.