fbpx

କଂଗ୍ରେସ-ଡ଼ିଏମକେ ମଧ୍ୟରେ ଚୂଡାନ୍ତ ହେଲା ମେଣ୍ଟ: ୨୦୧୯ ଫର୍ମୁଲାକୁ ରିପିଟ୍‌ କଲା ଡିଏମକେ

ଓଡ଼ିଶା ଭାସ୍କର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ନିଷ୍ପତି ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ସହଯୋଗୀ କଂଗ୍ରେସ ଦଳ ପାଇଁ ୯ଟି ଆସନ ପ୍ରଦାନ କରିଛି ଡିଏମକେ। ଏଥି ସହିତ ପୁଡୁଚେରୀର ଗୋଟିଏ ଆସନରେ କଂଗ୍ରେସ ମଧ୍ୟ ନିର୍ବାଚନ ଲଢ଼ିବ ଦଳ ଘୋଷଣା କରିଛି। ଚେନ୍ନାଇର ଡିଏମକେ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଏନେଇ ଘୋଷଣା କରାଯାଇଛି। ଯେଉଁଥିରେ ୨୦୧୯ ଫର୍ମୁଲାକୁ ଡିଏମକେ ରିପିଟ୍‌ କରିଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ତାମିଲନାଡୁରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୩୯। ୨୦୧୯ରେ ମଧ୍ୟ ଡିଏମକେ ସମାନ ଫର୍ମୁଲା ଆପଣାଇ ବିଜୟୀ ହୋଇଥିଲା। ୨୦୧୯ରେ କଂଗ୍ରେସ ତାମିଲନାଡୁ ଓ ପୁଡୁଚେରୀରେ ୧୦ଟି ଆସନରେ ପ୍ରାର୍ଥୀ ଦେଇ ୯ଟିରେ ଜିତିଥିଲା। ତେବେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମକେ ଷ୍ଟାଲିନ, ତାମିଲନାଡୁ କଂଗ୍ରେସ ମୁଖ୍ୟ କେ ସେଲଭାପେରୁନଥାଗାଇ, କେସି ଭେନୁଗୋପାଲ ଓ ଅଜୟ କୁମାର ଏକାଠି ବସି ଆସନ ଭାଗବଣ୍ଟା ଫର୍ମୁଲାକୁ ଚୂଡ଼ାନ୍ତ କରିଛନ୍ତି। ଭେନୁଗୋପାଲ ଦମ୍ଭୋକ୍ତି କରିଛନ୍ତି ଯେ ତାମିଲନାଡୁ ଓ ପୁଡୁଚେରୀର ସମସ୍ତ ୪୦ ଆସନରେ ଇଣ୍ଡିଆ ମେଣ୍ଟ ଜିତିବ। ଏନେଇ ସେ କହିଛନ୍ତି, “କଂଗ୍ରେସ ଓ ଡିଏମକେ ମଧ୍ୟରେ ଥିବା ବଣ୍ଡିଂ ଅତୁଟ ରହିଛି। ଆମେ ଏକାଠି ଲଢ଼ିବୁ ଓ ଏକାଠି ଜିତିବୁ।”

ଏଠାରେ କହି ରଖୁ ଯେ, ଡିଏମକେ, ଭିସିକେ, ଏମଡିଏମକେ ଓ କଂଗ୍ରେସ ସମେତ ତାମିଲନାଡୁରେ ସିପିଆଇଏମ, ସିପିଆଇ, ଆଇୟୁଏଲ ଓ କେଏମଡିକେ ମଧ୍ୟ ଷ୍ଟାଲିନଙ୍କ ମେଣ୍ଟରେ ରହିଛନ୍ତି। ଶାସକ ଡିଏମକେ କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳଗୁଡ଼ିକ ସହ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା କରିବା ବେଳେ ୨୦୧୯ ଫର୍ମୁଲା ଉପରେ ଅଧିକ ଗୁରୁତ୍ୱ ଦେଇଛି।

 

Get real time updates directly on you device, subscribe now.