fbpx

୨୬ ବର୍ଷ ତଳେ କରିଥିଲେ ଅପରାଧ, ଏବେ ଦୋଷୀ ସାବ୍ୟସ୍ତ ହେଲେ କଂଗ୍ରେସର ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ ଲାଗିଛି ଜବଦରସ୍ତ ଝଟକା । ୨୬ ବର୍ଷ ତଳର ଏକ ମାମଲାରେ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଛି । ଏଥିସହିତ ରାଜଙ୍କୁ ୮୫୦୦ ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏମପି ଓ ଏମଏଲଏଙ୍କ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଦେଇଛନ୍ତି । ତେବେ କଂଗ୍ରେସର ଏହି ପୂର୍ବତନ ସାଂସଦଙ୍କୁ ଜେଲ ସଜ୍ଜା ଶୁଣାଣି ହେବାର କିଛି ସମୟ ପରେ ୨୦-୨୦ ହଜାର ଟଙ୍କାର ଦୁଇଟି ବଣ୍ଡ ଓ ଏକ ବ୍ୟକ୍ତିଗତ ବନ୍ଧନରେ ଜାମିନ ମିଳିଛି ।

ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ସହ ମାରପିଟ୍ କରିବା ନେଇ ରାଜ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ନିଷ୍ପତ୍ତି ଶୁଣାଣି ସମୟରେ ରାଜ କୋର୍ଟ ରୁମରେ ଉପସ୍ଥିତ ଥିଲେ । ଗତ ୧୯୯୬ ମସିହା ମେ ୨ ତାରିଖରେ ମତଦାନ ଅଧିକାରୀ ଓଜିରଗଞ୍ଜ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାୟର କରିଥିଲେ । ସେ ସମୟରେ ରାଜ ସମାଜବାଦୀର ପ୍ରାର୍ଥୀ ଥିଲେ । ତେବେ ଆସନ୍ତା ଏକ ମାସ ମଧ୍ୟରେ ରାଜ ଜିଲ୍ଲା କୋର୍ଟରେ ଏହି ସଜ୍ଜା ବିରୋଧରେ ଅପିଲ କରିପାରିବେ ।

ରାଜଙ୍କ ସହ ଅରବିନ୍ଦ ଯାଦବ ଓ ଅନ୍ୟ କିଛି ଲୋକ ଭୋଟିଂ ବୁଥ୍ ନମ୍ବର ୧୯୨କୁ ଯାଇ ଅମାନବୀୟ କାର୍ଯ୍ୟ କରିଥିଲେ । ସେମାନେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା ସହ ଜଣେ ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଆଧାରରେ ୧୯୯୬ ମସିହା ସେପ୍ଟେମ୍ବର ୨୩ରେ ପୋଲିସ ରାଜଙ୍କ ସହ ଅନ୍ୟମାନଙ୍କ ନାମରେ ଚାର୍ଜସିଟ୍ ଫାଇଲ୍ କରିଥିଲା ।

Get real time updates directly on you device, subscribe now.