fbpx

ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି, ଚିକିତ୍ସା କଲେ ସଚିବାଳୟ ଡାକ୍ତର

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବିଧାନସଭାର ମୌସୁମୀ ଅଧିବେଶନରେ ଶନିବାର ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଓଡିଶା ବୈଷୟିକ ଓ ଗବେଶଣା ବିଶ୍ୱବିଦ୍ୟାଳୟ ବିଲ୍‌ ପାରିତ ହେବା ବେଳେ ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ସହଯୋଗୀମାନେ ତାଙ୍କୁ ଉଠାଇ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ତେବେ ତାରା ଅସୁସ୍ଥ ହେବା ପରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭାର ଲବି ମଧ୍ୟକୁ ସଚିବାଳୟ ଡାକ୍ତରମାନେ ଆସି ତାଙ୍କୁ ଚିକିତ୍ସା କରିଥିଲେ ।

ଜୟପୁର ବିଧାୟକ ତାରା ବାହିନୀପତି ପୂର୍ବରୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ । ପରେ ଘରକୁ ଚାଲି ଯାଇଥିଲେ । ମାତ୍ର ସେ ଘରେ ପହଞ୍ଚିବା ପରେ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ । ସେ ସିକନ୍ଦରାବାଦସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରୁ ସୁସ୍ଥ ହୋଇ ତାରା ଫେରିଥିଲେ ।

Get real time updates directly on you device, subscribe now.