fbpx

ଏ ପର୍ଯ୍ୟନ୍ତ ୧୦ ଚଢାଉ ହେବାର ଥିଲା, ସିସୋଦିଆଙ୍କ ଘରେ CBI ରେଡରେ ବିଜେପିକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଅବକାରୀ ନୀତିରେ ତ୍ରୁଟିକୁ ନେଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇର ଚଢାଉ ଜାରି ରହିଛି। ସାତଟି ରାଜ୍ୟର ୨୧ଟି ଠିକଣାରେ ସିବିଆଇ ଏକକାଳୀନ ଚଢାଉ କରିଛି। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଭଲ କାମ କରୁଥିବାରୁ ଆମକୁ ହଇରାଣ କରାଯାଉଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି। ବିଜେପିର ଅଭିଯୋଗ କେଜ୍ରିଓ୍ଵାଲ ସରକାର ରାଜସ୍ଵ ଲୁଟିବା ପରେ ଭିକ୍ଟିମ କାର୍ଡ ଖେଳୁଛି। ଏବେ ଏହି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛି କଂଗ୍ରେସ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ କହିଛନ୍ତି, ସିବିଆଇ କାର‌୍ୟ୍ୟାନୁଷ୍ଠାନ ନେବାରେ ବହୁ ବିଳମ୍ବ କରି ଦେଇଛି।

ସନ୍ଦୀପ ଦୀକ୍ଷିତ କହିଛନ୍ତି, ମଦ ନୀତି ବ୍ୟତୀତ ସ୍କୁଲ ନିର୍ମାଣ ଏବଂ ଶିକ୍ଷକ ନିଯୁକ୍ତିରେ ମଧ୍ୟ ଦୁର୍ନୀତି ହୋଇଛି। ସେ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ସକରାରରେ ଗତ ସାତ-ଆଠ ବର୍ଷରେ ଯାହା ହେଉଥିଲା, ଏଥିରେ ଆଶ୍ଚର‌୍ୟ୍ୟ ଲାଗୁଛି ଯେ, ଏ ପର‌୍ୟ୍ୟନ୍ତ ରେଡ୍ କଣ ପାଇଁ ହେଉନଥିଲା ? ଅବକାରୀ ନୀତି, ସ୍କୁଲ ନିର୍ମାଣରେ ଦୁର୍ନୀତି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି, ସିଭିଲ ଡିଫେନ୍ସ ନିଯୁକ୍ତିରେ ଦୁର୍ନୀତି। ଆପଣ ଯେଉଁଠି ଦେଖିବେ ସେଠାରେ ୧୦-୧୦ ଚଢାଉ ହେବା ଉଚିତ୍।

କଂଗ୍ରେସର ମୁଖପାତ୍ର ପବନ ଖେଡା କହିଛନ୍ତି, ଏଜେନ୍ସିର ନିରନ୍ତର ଦୁରୁପଯୋଗର ଏକ ବଡ କ୍ଷତି ଏହା ମଧ୍ୟ ହୋଇଥାଏ ଯେ, ଯେବେ ସେହି ଏଜେନ୍ସି ଠିକ୍ କାମ କରେ ତଥାପି ତାକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଏ। ତେଣୁ ଦୁର୍ନୀତିଗ୍ରସ୍ତ ଲୋକ ଏଜେନ୍ସିର ଦୁରୁପଯୋଗର ଦ୍ଵାହି ଦେଇ ଏଥିରୁ ବଞ୍ଚି ଯାଆନ୍ତି। ଆଉ ଯିଏ ସଚ୍ଚୋଟତାର ସହ ଜନତାଙ୍କ ପ୍ରସଙ୍ଗ ଉଠାନ୍ତି, ସେମାନେ ଦୁରୁପଯୋଗର ଶିକାର ହୁଅନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜର ଉପ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ କହିଛନ୍ତି, ଦିଲ୍ଲୀରେ ଭଲ କାମକୁ ରୋକିବା ପାଇଁ ଚଢାଉ କରାଯାଉଛି। ସେ ଚଢାଉର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେଉଁଦିନ ଆମେରିକାର ସବୁଠୁ ବଡ ଖବରକାଗଜ ଏନଓ୍ଵାଇଟିର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଣ୍ଡଳର ପ୍ରଶଂସା ସହହିତ ମନୀଷ ସିସୋସିଆଙ୍କ ଫଟୋ ଛପା ଯାଇଛି, ଠିକ୍ ସେହି ଦିନ ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢାଉ କରିଛି। ସିବିଆଇର ସ୍ଵାଗତ। ଆମେ ଏଜେନ୍ସିକୁ ପୁରା ସହଯୋଗ କରିବୁ। ପୂର୍ବରୁ ମଧ୍ୟ ଅନେକ ଚଢାଉ ହୋଇଛି। କିନ୍ତୁ କିଛି ମିଳିନି। ଏବେ ବି କିଛି ମିଳିବନି।

Get real time updates directly on you device, subscribe now.