fbpx

ଆଜମ ଖାନ୍‌ ମୁସଲମାନ ବୋଲି ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି; ଅଖିଳେଶ ଯାଦବ

ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ଏବଂ କୋର୍ଟରୁ ହିଁ ସେମାନଙ୍କୁ ଜେଲକୁ ପଠାଯିବ ବୋଲି (ଡ଼ିଜିସି)ଓକିଲ ଅରୁଣ ପ୍ରକାଶ ସାକ୍ସେନା କହିଛନ୍ତି। ସାଂସଦ-ବିଧାୟକ କୋର୍ଟ ମାଜିଷ୍ଟ୍ରେଟ ସୋଭିତ ବଂଶଲ ତିନି ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସେପଟେ ଆଜମ ଖାନ୍‌ ଜଣେ ମୁସଲମାନ ବୋଲି ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ଚାଲିଛି ବୋଲି ଏକ ବଡ଼ ବୟାନ ରଖିଛନ୍ତି ଏସପି ମୁଖ୍ୟ ଅଖିଳେଶ ଯାଦବ । ଆଜମଙ୍କ ଧର୍ମ ଅଲଗା ତେଣୁ ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି। ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି। ଆଜମ ଖାନ ଜଣେ ମୁସଲମାନ ତେଣୁ ତାଙ୍କୁ ଏହି ପ୍ରକାର ଦଣ୍ଡର ସାମ୍ନା କରିବାକୁ ପଡିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି । ତେବେ କୋର୍ଟଙ୍କ ରାୟ ଓ ଅପରପକ୍ଷେ ଅଖିଳେଶ ଯାଦବଙ୍କ ବୟାନକୁ ନେଇ ଉତ୍ତରପ୍ରଦେଶରେ ଏକ ବଡ଼ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ନକଲି ଜନ୍ମ ପ୍ରମାଣପତ୍ର ମାମଲାକୁ ନେଇ୨୦୧୯ ଜାନୁଆରି ୩ ତାରିଖରେ ବିଜେପି ବିଧାୟକ ଆକାଶ ସାକ୍ସେନା ରାମପୁରର ଗଞ୍ଜ ଥାନାରେ ଏକ ଏତଲା ଦେଇଥିଲେ। ଆଜମ ଖାନ ଏବଂ ତାଙ୍କ ପତ୍ନୀ ମିଳିତ ଭାବେ ତାଙ୍କ ପୁଅକୁ ଦୁଇଟି ନକଲି ଜନ୍ମ ତାରିଖ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିଥିଲେ, ଗୋଟିଏ ଲକ୍ଷ୍ନୌରୁ ଓ ଅନ୍ୟଟି ରାମପୁରରୁ ହାସଲ କରାଯାଇଥିବା ସେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ ପରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଅନୁଯାୟୀ, ରାମପୁର ମ୍ୟୁନିସିପାଲିଟି ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟରେ ଅବଦୁଲ୍ଲା ଆଜମଙ୍କ ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟ ସାର୍ଟିଫିକେଟ ଅନୁଯାୟୀ ସେ ୧୯୯୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ।

Get real time updates directly on you device, subscribe now.