fbpx

ନିଆଁରେ ଫସିଥିଲା ପରିବାର: ଶିଶୁକୁ ଛାତିରେ ଧରି ଦୌଡ଼ିଲେ ବାହାଦୂର କନେଷ୍ଟବଳ, ଫୋନରେ ଏପରି କହିଲେ ମୁଖ୍ୟମନ୍ତ୍ରୀ(Video)

କରୌଲି: ପୋଲିସକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା କଥା ତ ଆପଣମାନେ ପ୍ରାୟତଃ ଶୁଣିଥିବେ । କିନ୍ତୁ ଖାକି ପୋଷାକକୁ ନେଇ ବିଶ୍ୱାସର ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ମାନବିକତାର ଏକ ଉଦାହରଣ ସୃଷ୍ଟି କରିବା ସହ ସ୍ୟାଲୁଟ୍ କରିବାକୁ ବାଧ୍ୟ କରିବ । ଏହି ଫଟୋଟି ରାଜସ୍ଥାନ କରୌଲି ଜିଲ୍ଲାରୁ ଆସିଛି, ଯେଉଁଠାରେ ଗତ ଶନିବାର ଦିନ ହିନ୍ଦୁ ନବବର୍ଷର ଅବସରରେ ବାଇକ୍ ରାଲି ସମୟରେ ୨ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼ ଆରମ୍ଭ ହୋଇଥିଲା । ପରିସ୍ଥିତି ଏତେ ବିଗିଢ଼ିଗଲା କି, ସେଠାରେ ହିଂସା ଦେଖିବାକୁ ମିଳିଥିଲା । ଘଟଣାର ୩ ପରେ ପରିସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ଶନିବାର ହିଂସା ସମୟରେ କରୌଲି ପୋଲିସର ଏକ କନେଷ୍ଟବଳଙ୍କ ବାହାଦୂର କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଘଟଣାର ପରଦିନ କରୌଲି ପୋଲିସର ଜଣେ କନେଷ୍ଟବଳଙ୍କ ଫଟୋ ଭାଇରାଲ ହୋଇଗଲା, ଯେଉଁଥିରେ ସେ ହିଂସା ସମୟରେ ଜଣେ ମହିଳା ଓ ନିରୀହ ଶିଶୁଙ୍କୁ ସୁରକ୍ଷିତ ବାହାର ଆଣୁଥିବା ଦେଖିବାକୁ ମିଳିଛି । କନେଷ୍ଟବଳ ଜଣକ ଶିଶୁକୁ ନିଜ ଛାତିରେ ଜାବୁଡ଼ି ଧରି ନିଆଁକୁ ଖାତିର ନକରି ଦୌଡ଼ୁଥିବା ଫଟୋରେ ଦେଖିବାକୁ ମିଳିଛି । କନେଷ୍ଟବଳ ନେତ୍ରେଶ ଶର୍ମାଙ୍କ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କ ସାହାସକୁ ପ୍ରଶଂସା କରାଯାଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଗହଲୋଟ ମଧ୍ୟ କନେଷ୍ଟବଳ ନେତ୍ରେଶ ଶର୍ମାଙ୍କୁ ଫୋନରେ କଥା ହୋଇ ତାଙ୍କୁ ପ୍ରଶଂସା କରିଛନ୍ତି । କରୌଲିରେ ନିଜର କର୍ତ୍ତବ୍ୟ କରୁଥିବା ସମୟରେ ୪ ଲୋକଙ୍କର ଜୀବନ ବଞ୍ଚାଇଥିବା କନେଷ୍ଟବଳଙ୍କ କାମ ସାହସଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ନେତ୍ରେଶଙ୍କୁ ହେଡ୍ କନେଷ୍ଟବଳ ବଦକୁ ପଦୋନ୍ନତି କରିବାକୁ ନିଷ୍ପତ୍ତି ନିଆଯାଇଥିବା ସିଏମ୍ କହିଛନ୍ତି । ଦେଖନ୍ତୁ ଫୋନରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ ଗହଲୋଟ…

ତେବେ ଏକ ମୁସଲିମ-ବହୁଳ ଅଞ୍ଚଳରେ ମୋଟରସାଇକେଲ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ଼ କରାଯିବା ଘଟଣାରେ ପ୍ରାୟ ୪୨ ଜଣ ଲୋକ ଆହତ ହୋଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଦୋକାନବଜାର ଓ ଯାନବାହନ ପୋଡ଼ାଜଳା କରିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣ ଲୋକଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ପୋଲିସ ଡିଜି (ଆଇନ-ଶୃଙ୍ଖଳା) ହାୱା ସିଂହ ଘୁମାରିୟା କହିଛନ୍ତି। ଟେକାପଥର ମାଡ଼ରେ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି ଏବଂ ୧୦ ଜଣ ସାମାନ୍ୟ ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଂକଟଜନକ ଥିବାରୁ ତାଙ୍କୁ ଜୟପୁରସ୍ଥିତ ଏସ୍‌ଏମ୍‌ଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କରୌଲିରେ ଶାନ୍ତିରକ୍ଷା ପାଇଁ ଡିଏସ୍‌ପି ଓ ଏସ୍‌ପି ପାହ୍ୟାର ୫୦ ପୁଲିସ ଅଧିକାରୀଙ୍କ ସମେତ ୬୦୦ ପୁଲିସଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ କର୍ଫ୍ୟୁ ଜାରି କରାଯାଇଛି।

Get real time updates directly on you device, subscribe now.