ନୂଆଦିଲ୍ଲୀ : ବିସିସିଆଇ ଟି-୨୦ ବିଶ୍ୱ କପ ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର କରିଛି । ଏହି ପଦକ୍ଷେପକୁ ସବୁ ଆଡୁ ପ୍ରଶଂସା କରାଯାଉଛି । ହେଲେ ଏବେ ଏହି ମାମଲାରେ ଆସିଛି ନୂତନ ମୋଡ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇର ସର୍ବୋଚ୍ଚ ପରିଷଦ ପାଖକୁ ଧୋନୀଙ୍କ ନିଯୁକ୍ତି ରିରୋଧରେ ଜନସ୍ୱାର୍ଥ ଅଭିଯୋଗ ଆସିଛି । ମଧ୍ୟ ପ୍ରଦେଶ ଆସୋସିଏସନର ପୂର୍ବତନ ଅଧିକାରୀ ସଞ୍ଜୀବ ଗୁପ୍ତା ବିସିସିଆଇକୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ଧୋନୀଙ୍କ ନିଯୁକ୍ତି ଜନହିତ ବିରୋଧୀ ରହିଛି । ଜଣେ ବ୍ୟକ୍ତି ଦୁଇଟି ପଦରେ ରହି ପାରିବ ନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଧୋନୀ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମଧ୍ୟ ଅଛନ୍ତି । ଏବେ ବିସିସିଆଇ ଧୋନୀଙ୍କୁ ଟି-୨୦ ବିଶ୍ୱ କପ୍ ପାଇଁ ଦଳର ମେଣ୍ଟର ଦାୟିତ୍ୱ ଦେଇଛି । ବିସିସିଆଇ କହିଛି ଯେ, ସଞ୍ଜୀବ ଗୁପ୍ତା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ସେ ବିସିସିଆଇର ସମ୍ବିଧାନର ଧାରା ୩୮(୪) ଉଲ୍ଲେଖ କରି କହିଛନ୍ତି, ଏହି ଆଧାରରେ ଜଣେ ବ୍ୟକ୍ତି ଦୁଇଟି ପଦରେ ରହି ପାରିବେ ନାହିଁ । ବିସିସିଆଇର ଉଚ୍ଚ କମିଟିକୁ ଏବେ ନିଜର ଆଇନଗତ ଟିମ୍ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପଡିବ ଏବଂ ଆବଶ୍ୟକ ପରାମର୍ଶ ନେବାକୁ ପଡିବ । ସୂଚନାଯୋଗ୍ୟ, ଧୋନୀ ଗୋଟିଏ ଦଳର ଖେଳାଳି ଅଛନ୍ତି ଏବଂ ପୁଣି ଅନ୍ୟ ଦଳରେ ମେଣ୍ଟର ଭୂମିକାରେ ରହିବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ଥିଲା । ଆଉ ବିସିସିଆଇ ଘୋଷଣାର ଗୋଟିଏ ଦିନ ପରେ ଏମିତି ହିଁ ଘଟିଛି ।
ସୂଚନାଯୋଗ୍ୟ, ବୁଧବାର ରାତିରେ ବିସିସିଆଇ ସିନିୟର ଦଳ ଚୟନକର୍ତ୍ତା କମିଟି ଟି-୨୦ ବିଶ୍ୱ କପ୍ ପାଇଁ ଦଳ ଘୋଷଣା କରିଛି । ଦଳ ଘୋଷଣାରେ ସବୁଠୁ ବଡ ଘଟଣା ଥିଲା ଧୋନୀଙ୍କୁ ମେଣ୍ଟର କରାଯିବା । ସଂପାଦକ ଜୟ ଶାହା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଖୋଦ୍ ଧୋନୀଙ୍କ ସହ ୟୁଏଇରେ ସେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଧୋନୀ ଏହି ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ଥିବା କହିଥିଲେ । ଶାହା ଏହା ମଧ୍ୟ କହିଛନ୍ତି, ଧୋନୀଙ୍କୁ ମେଣ୍ଟର କରାଯିବା ବିସିସିଆଇର ଏହି ନିଷ୍ପତ୍ତିରେ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ପ୍ରଥମ ଟି-୨୦ ବିଶ୍ୱ କପ୍ ଜିତିଥିଲା । ୨୦୧୪ରେ ଦଳ ଫାଇନାଲରେ ପହଞ୍ଚିଥିଲା ଏବଂ ୨୦୧୬ରେ ଭାରତ ସେମି ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା ।