ଲୁଟେରାଙ୍କ ଟାର୍ଗେଟରେ କୋରିୟର କମ୍ପାନୀ: ଅଫିସ ଭିତରୁ ଲୁଟିନେଲେ…

ଆଗ୍ରା: ଆଗ୍ରାରେ ଏକ ବଡ ଧରଣର ଲୁଟ ଘଟଣା ସାମନାକୁ ଆସିଛି । ଏକ କୋରିୟର କମ୍ପାନୀର ଅଫିସରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଅଫିସରୁ ମୋଟ ୪୦ ଲକ୍ଷ ଟଙ୍କା ଲୁଟ ହୋଇଥିବା କୁହାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦିନ ଦି ପ୍ରହରେ ଏଭଳି ଅପରାଧିକ ମାମଲା ଏବେ ପୋଲିସ ପ୍ରଶାସନ ଉପରେ ଆଙ୍ଗୁଠି ଉଠାଇଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋତବାଲି ଅଞ୍ଚଳର ତିୱାରୀ ଗଳିରେ । ସ୍ଥାନୀୟ ଏଡିଜି ରାଜୀବ କୃଷ୍ଣାଙ୍କ କହିବା ଅନୁସାରେ, ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏହି ଟଙ୍କା ଲୁଟି ନେଇଛନ୍ତି । ମଧ୍ୟାହ୍ନ ୨ଟାରେ ଏହି ଘଟଣା ଘଟିଥିବା ପ୍ରକାଶ ପାଇଛି । ଲୁଟେରାମାନେ ହଠାତ କୋରିୟର କମ୍ପାନୀର ଏହି ଅଫିସ ଭିତରେ ପଶି କର୍ମଚାରୀମାନଙ୍କ ବନ୍ଦୀ କରି ନେଇଥିଲେ । ଏହାପରେ ବନ୍ଧୁକ ମୁନରେ ଡରାଇ ସେମାନଙ୍କ ପାଖରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କମ୍ପାନୀର ଜଣେ କର୍ମଚାରୀ ଏହି ଟଙ୍କା ନେଇ ବାହାରୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିବା କୁହାଯାଉଛି । ତେବେ ଲୁଟେରାମାନେ ଯିବା ପରେ ଅଫିସର କର୍ମଚାରୀ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ପୋଲିସ ମଧ୍ୟ ଖବର ଦିଆଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକାର୍ଯ୍ୟ ଆରମ୍ଭ କରିଛି । ଆଖପାଖରେ ପଚରାଉଚରା କରିବା ସହ ଲୁଟେରାମାନଙ୍କୁ ଖୋଜିବାର ପ୍ରୟାସ ଜାରି ରକିଛି ପୋଲିସ ।