fbpx

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ ବ୍ରିଟେନ୍ ଭଳି ଦେଶଗୁଡ଼ିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ଉପରେ ଚାପ ପକାଇ ଆସୁଛନ୍ତି । ଏହାରି ମଧ୍ୟରେ ଏକ ନୂଆ ଅଧ୍ୟୟନରୁ ଦାବି କରାଯାଇଛି ଯେ ଚୀନର ଉହାନ ଲ୍ୟାବରୁ ହିଁ କରୋନା ଭାଇରସ୍ ବିଶ୍ୱକୁ ବ୍ୟାପିଛି । ଚୀନ ବୈଜ୍ଞାନିକମାନେ ହିଁ ଉକ୍ତ ଲ୍ୟାବ୍ରେ ସୃଷ୍ଟି କରିଛନ୍ତି କୋଭିଡ୍-୧୯ ଭୂତାଣୁ । କିନ୍ତୁ ଏଭଳି ଦାବିକୁ ଚୀନ୍ ମାନିବାକୁ ନାରାଜ ।

ଡେଲି ମେଲରେ ପ୍ରକାଶ ପାଇଛି ଯେ, ନୂଆ ଅଧ୍ୟୟନ ଅନୁସାରେ ଚୀନ ବୈଜ୍ଞାନିକମାନେ ଉହାନ ଲ୍ୟାବରେ କୋଭିଡ୍-୧୯ ଭାଇରସ୍ ସୃଷ୍ଟି କରିଛନ୍ତି । ଏହାପରେ ସେମାନେ ରିଭର୍ସ-ଇଞ୍ଜିନିୟରିଂ ଭର୍ସନ ତଥା ପୁନଃ ପ୍ରକ୍ରିୟାକରଣ ଅନୁସାରେ ଏହାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରିଥିଲେ । ଏହାଦ୍ୱାରା ଭୂତାଣୁ ପ୍ରାକୃତିକ ରୂପରେ ବିକଶିତ ହୋଇଥିବା ଭଳି ସାଧାରଣରେ ହୃଦଙ୍ଗମ ହେବ । ଯଥାର୍ଥରେ କହିଲେ କୃତ୍ରିମ ଉପାୟରେ ଭାଇରସ୍ ସୃଷ୍ଟି ହୋଇଥିବା ପ୍ରକ୍ରିୟାକୁ ଲୁଚାଇବାକୁ ଚୀନ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ ।

କିଏ ଉଠାଇଛି ଏଭଳି ଦାବି?

ବ୍ରିଟିଶ୍ ପ୍ରଫେସର ଏଙ୍ଗସ୍ ଡଲଗଲିସ୍ ଓ ବୈଜ୍ଞାନିକ ଡା ବିର୍ଗର୍ ସୋରେନସେନ୍ ଙ୍କ ମିଳିତ ଉଦ୍ୟମରେ ଏଭଳି ଅଧ୍ୟୟନ କରାଯାଇଛି । ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମତଃ ଏକ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ନିକଟରେ ଚୀନ କରୋନା ଭାଇରସ୍ ନେଇ ରେଟ୍ରୋ-ଇଞ୍ଜିନିୟରିଂ ଉଦ୍ୟମ କରିଥିବାର ପ୍ରମାଣ ରହିଛି । କିନ୍ତୁ ସେମାନଙ୍କ ଅଧ୍ୟୟନକୁ ବହୁ ବିଶେଷଜ୍ଞ ଓ ପ୍ରମୁଖ ପତ୍ରିକା ଅଣଦେଖା କରିଦେଲେ । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଫେସର ଡଲଗଲିସ୍ ଲଣ୍ଡନର ସେଣ୍ଟ୍ ଜର୍ଜ ୟୁନିଭର୍ସିଟିର କ୍ୟାନ୍ସର୍ ବିଭାଗ ପ୍ରଫେସର ଅଛନ୍ତି ଏବଂ ଏଚଆଇଭି (ଏଡସ) ପାଇଁ ଉଦ୍ଦିଷ୍ଟ ଭାକ୍ସିନ୍ ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ତଥା ଶ୍ରେୟ ରହିଥିବା କୁହାଯାଉଛି । ସେହିପରି ଡା. ସୋରେନସେନ୍ ହେଉଛନ୍ତି ଜଣେ ମହାମାରୀ ବିଶେଷଜ୍ଞ ଏବଂ ଇମ୍ୟୁନର୍ କମ୍ପାନିର ଅଧ୍ୟକ୍ଷ । ସେ କରୋନା ପାଇଁ ବାୟୋବ୍ୟାକ୍-୧୯ ନାମକ ଭାକ୍ସିନ୍ ପ୍ରସ୍ତୁତ କରୁଛନ୍ତି ।

ଉହାନ ଲ୍ୟାବ୍ ରେ ତଥ୍ୟ ଗଡ଼ବଡ଼

ଉପରୋକ୍ତ ଅଧ୍ୟୟନରେ ଚୀନ ଉପରେ ଆହୁରି ସାଂଘାତିକ ଅଭିଯୋଗ ଆସିଛି । ଚୀନ ଜାଣିଶୁଣି ଉହାନ ଲ୍ୟାବ୍ରେ ଥିବା ତଥ୍ୟ ନଷ୍ଟ କରିଦେଇଛି ବୋଲି ଅନୁସନ୍ଧାନ ରିପୋର୍ଟରେ ଦୃଢ଼ତାର ସହ ଉଲ୍ଲେଖ କରାଯାଇଛି । ଖାଲି ସେତିକି ନୁହେଁ, କିଛି ତଥ୍ୟ ଲୁଚାଇ ଦିଆଯାଇଛି ଏବଂ ଆଉକିଛି ଏପଟ ସେପଟ କରାଯାଇଛି । ଖାଲି ସେତିକି ନୁହେଁ, ଏହାକୁ ନେଇ ଯେଉଁ ବୈଜ୍ଞାନିକ ସ୍ୱର ଉଠାଇଲେ ସେମାନଙ୍କୁ କମ୍ୟୁନିଷ୍ଟ ଦେଶ ଚୀନ୍ ହୁଏତ ପରିଚୟ ହଜାଇ ଦେଇଛି କିମ୍ବା ଜୋର୍ ଦେଇ ପାଟି ବନ୍ଦ କରାଇ ଦେଇଛି । ଏଭଳି ଦାବି କରିବା ସହ ଉଭୟ ଗବେଷକ କହିଛନ୍ତି ଯେ ଖୁବଶୀଘ୍ର ଏହି ଅଧ୍ୟୟନ ବିଶ୍ୱରେ ପ୍ରକାଶ ପାଇବ ।

ମିଳିଛି ୟୁନିକ୍ ଫିଙ୍ଗରପ୍ରିଣ୍ଟ୍

ଡେଲି ମେଲ୍ ରିପୋର୍ଟରେ ଦାବି କରାଯାଇଛି ଯେ ଗତବର୍ଷ ଉଭୟ ଗବେଷକ ଭାକ୍ସିନ୍ ପ୍ରସ୍ତୁତ ପାଇଁ କରୋନା ସାମ୍ପୁଲକୁ ନେଇ ଅଧ୍ୟୟନ କରୁଥିଲେ । ସେଥିରେ ସେମାନେ ଏକ ୟୁନିକ୍ ଫିଙ୍ଗରପ୍ରିଣ୍ଟ୍ ମଧ୍ୟ ପାଇଛନ୍ତି ଯାହାକି ଲ୍ୟାବ୍ରେ ଭୂତାଣୁ ସହ ପରୀକ୍ଷାନିରୀକ୍ଷା କରାଯିବା ଦ୍ୱାରା ହିଁ ସମ୍ଭବ । ତେବେ ଏନେଇ ସେମାନଙ୍କ ସନ୍ଦର୍ଭ ପ୍ରକାଶ କରିବାକୁ ବିଶ୍ୱସ୍ତରୀୟ ଅନେକ ପତ୍ରିକା ମନା କରିଦେଇଥିଲେ । କାରଣ ସେମାନଙ୍କ ବିଶ୍ୱାସ ରହିଥିଲା ଯେ ଏହି ଭୂତାଣୁ ପ୍ରାକୃତିକ ଭାବେ ସୃଷ୍ଟି ହୋଇ ମଣିଷ ଶରୀରକୁ ସଂକ୍ରମିତ ହୋଇଛି । ତେବେ ସମ୍ପ୍ରତି ପୁଣିଥରେ ଏହି ଅଧ୍ୟୟନକୁ ନେଇ ଆଲୋଚନା ଜୋର୍ ଧରିଛି ।

ଆମେରିକା ଦେଇଛି ତ୍ୱରିତ୍ ଯାଞ୍ଚ ନିର୍ଦ୍ଦେଶ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇତିମଧ୍ୟରେ କରୋନାର ଉତ୍ପତ୍ତିକୁ ନେଇ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ଗତ ବୁଧବାର ସେ ଦେଶର ଗୁଇନ୍ଦା ବିଭାଗକୁ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଅଦେଶ ଦେଇଛନ୍ତି । ଏଥିସହ ଅନ୍ତଃରାଷ୍ଟ୍ରୀୟ ଯାଞ୍ଚ ପ୍ରକ୍ରିୟାକୁ ସହଯୋଗ କରିବା ପାଇଁ ସେ ଚୀନ୍କୁ ଅନୁରୋଧ କରିଛନ୍ତି ।

 

Get real time updates directly on you device, subscribe now.