ଭାରତରେ ପୁଣି ଥରେ ବ୍ୟାପିଲାଣି କରୋନା ଭାଇରସ, ଏହି ରାଜ୍ୟରେ ସବୁଠୁ ଅଧିକ ମାମଲା

ଦେଶରେ ବଢୁଛି କରୋନା ମାମଲା, ଲୋକେ ଛାନିଆ!

ନୂଆଦିଲ୍ଲୀ: ପୁଣି ଥରେ କାୟା ବିସ୍ତାର କଲାଣି କରୋନା। ଏସୀୟ ଦେଶମାନଙ୍କରେ ଏହି ରୋଗ ବହୁମାତ୍ରାରେ ଦେଖିବାକୁ ମିଳୁଥିବାରୁ ଭାରତରେ ମଧ୍ୟ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ଅଧିକାରୀମାନଙ୍କ ମତରେ, ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଏପର୍ଯ୍ୟନ୍ତ ଭାରତରେ COVID-19 ର 164 ଟି ମାମଲା ରିପୋର୍ଟ ହୋଇଛି, ଯେଉଁଥିରେ 69 ଟି ମାମଲା କେରଳର ଏବଂ 44 ଟି ମାମଲା ମହାରାଷ୍ଟ୍ରର।

ଏହି ତାଲିକାର ଆରମ୍ଭରେ କେରଳର ନାମ ରହିଛି। କେରଳରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ COVID-19 ରୋଗୀ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କେରଳରେ ବର୍ତ୍ତମାନ 69 ଜଣଙ୍କୁ କରୋନା ହୋଇଛି। ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର , ଯେଉଁଠାରେ ୪୪ଜଣ କରୋନା ରୋଗୀ ଚିହ୍ନଟ କରାଯାଇଛି।

ଏହା ବ୍ୟତୀତ ତାମିଲନାଡୁରେ 34, କର୍ଣ୍ଣାଟକରେ 8, ଗୁଜରାଟରେ 6 ଏବଂ ଦିଲ୍ଲୀରେ ପ୍ରାୟ 3ଜଣଙ୍କୁ କରୋନା ହୋଇଥିବାର ରିପୋର୍ଟରୁ ଜଣାପଡିଛି। ତା ଛଡା ହରିୟାଣା, ରାଜସ୍ଥାନ ଏବଂ ସିକିମରେ ଗୋଟିଏ ଲେଖାଏଁ ମାମଲା ରହିଛି। ଏସିଆରେ କରୋନାର ସଂଖ୍ୟା ବୃଦ୍ଧି ପାଇବାର କାରଣ ହେଉଛି ଭାଇରସର ନୂଆ ଭାରିଆଣ୍ଟ।

କୁହାଯାଉଛି ଯେ, କରୋନାର JN.1 ଭାରିଆଣ୍ଟ ଏହି ପରିସ୍ଥିତି ସୃଷ୍ଟି କରିଛି। ଏହା ଓମିକ୍ରନ BA.2.86 ର ଏକ ପରିବର୍ତ୍ତନ। ସିଙ୍ଗାପୁର ଏବଂ ହଂକଂ ଭଳି ଦେଶରେ COVID-19 ମାମଲା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ପରିସ୍ଥିତିରେ ଉନ୍ନତି ହେବାର ମଧ୍ୟ କୌଣସି ଆଶା ନାହିଁ।

ଖାଲି ଏତିକି ନୁହେଁ , ମୁମ୍ବାଇର KEM ହସ୍ପିଟାଲରେ ଦୁଇଜଣ କୋଭିଡ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ, ଦୁହିଁଙ୍କର ଦେହ ଗୁରୁତର ଥିଲା। ଜଣେ ମୁଖ କର୍କଟ ରୋଗରେ ପୀଡିତ ଥିବାବେଳେ ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମରେ ପୀଡିତ ଥିଲେ।

ବିଏମସି ମତରେ ଉଭୟଙ୍କ ମୃତ୍ୟୁ କୋଭିଡ-୧୯ ଯୋଗୁଁ ନୁହେଁ ବରଂ ସେମାନଙ୍କ ଅସୁସ୍ଥତା ଯୋଗୁଁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଗମ୍ଭୀର ପରିସ୍ଥିତି ଉପରେ ନଜର ରଖିଛି।