fbpx

ରାଜ୍ୟରେ ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ଜାଣନ୍ତୁ କାରଣ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର । ରୋଗୀ ନଥିଲେ ରାଜ୍ୟରେ କୋଭିଡ଼ କେୟାର ସେଣ୍ଟର ବନ୍ଦ କରିବାକୁ ସେ ଚିଠିରେ ଲେଖିଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ଼ ହସ୍ପିଟାଲ ବି ବନ୍ଦ କରିବାକୁ କୁହାଯାଇଛି ।

କିନ୍ତୁ ଚିକିତ୍ସାଧୀନ ରୋଗୀ ଘରକୁ ନ ଫେରିବା ଯାଏ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । କୋଭିଡ ବୈଷୟିକ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ଏହି ଆଗୁଆ ପଦକ୍ଷେପ ନେଇଛନ୍ତି । କିନ୍ତୁ ସ୍ୱତନ୍ତ୍ର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ କେୟାର କେନ୍ଦ୍ର ଖୋଲା ରହିବ । ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ହୋଇ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଏସିଏସ କହିଛନ୍ତି ।

ଅନ୍ୟପଟେ ଆଉ ୪-୫ ମାସରେ ରାଜ୍ୟରେ କୋଭିଡ ଟିକାକରଣ ସରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ, ‘ରାଜ୍ୟ ଅଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଶିକ୍ଷଣ ଦେବେ । ଏବେ ସୁଦ୍ଧା ୧ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆ ସରିଛି । ଆଜି ୧୬୫୭ଟି କେନ୍ଦ୍ରରେ କୋଭିଡ ଟିକାକରଣ ଜାରି ରହିଛି ।’

Get real time updates directly on you device, subscribe now.