fbpx

ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ୍ ମହାମାରୀର ତୃତୀୟ ଲହର, ଜାଣନ୍ତୁ ଏନେଇ କଣ କହିଲେ ୪୦ ଜଣିଆ ବିଶେଷଜ୍ଞ

ବେଙ୍ଗାଲୁରୁ: କୋଭିଡ୍ ର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ଠାରୁ ହିଁ ବିଭିନ୍ନ ରାଜ୍ୟର ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ଏହାକୁ ନେଇ ଏବେ ଅନେକ ଅନୁସନ୍ଧାନ କରାଯାଉଛି । ତେବେ ସରକାରଙ୍କ ଚିଫ୍ ସାଇଣ୍ଟିଫିକ୍ ଆଡଭାଇଜର୍ ସଫା ସଫା କହିଛନ୍ତି ଯେ, କରୋନା ମହାମାରୀର ତୃତୀୟ ଲହର ନିଶ୍ଚୟ ଭାବେ ଆସିବ । ତୃତୀୟ ଲହର କେତେ ଘାତକ ରହିବ ତା ଉପରେ ଏବେ ଅନୁଧ୍ୟାନ କରାଯାଉଛି । ବିଶ୍ୱର ପ୍ରାୟ ୪୦ ଜଣ ବିଶେଷଜ୍ଞ ଏହା ଉପରେ ମତ ପ୍ରକାଶ କରିଛନ୍ତି ।

ପ୍ରାୟ ୮୫ ପ୍ରତିଶତ ଏକ୍ସପର୍ଟଙ୍କ କହିବାନୁସାରେ, କୋଭିଡ୍ ର ତୃତୀୟ ଲହର ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଆସିଯିବ । ହେଲେ ଆଉ କିଛି କହିଛନ୍ତି ଯେ, ଅଗଷ୍ଟ ଓ ସେପ୍ଟେମ୍ବର ସୁଦ୍ଧା ଦେଶରେ ତୃତୀୟ ଲହର ଦେଖାଦେବ । ଏହାକୁ ନେଇ ପ୍ରାୟ ୭୦ ପ୍ରତିଶତ ଏକ୍ସପର୍ଟ କହିଛନ୍ତି ଯେ, ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସହିତ ଲଢ଼ିବାରେ ଦେଶ ସଫଳ ହୋଇପାରିବ । ଆଉ ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇପାରିବ ।

ଏନେଇ ଏମ୍ସର ବିଶେଷଜ୍ଞ ଡାକ୍ତର ଗୁଲେରିୟା କହିଛନ୍ତି ଯେ, ତୃତୀୟ ଲହରକୁ ନିୟନ୍ତ୍ରଣ କରାଯାଇପାରିବ । କାରଣ ସେତେବେଳକୁ ଦେଶରେ ଟିକାର ମାତ୍ରା ବଢ଼ିସାରିଥିବ । ଯାହା ଫଳରେ କୋଭିଡ୍ ସହିତ ଲଢ଼ିବାରେ ସକ୍ଷମ ହେବ ଦେଶ । ବର୍ତ୍ତମାନ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ଟିକା ନେଇସାରିଥିବା ବେଳେ ତୃତୀୟ ଲହରର ପ୍ରଭାବ ଆରମ୍ଭ ହେବା ବେଳକୁ ସମଗ୍ର ଜନସଂଖ୍ୟା ପର୍ଯ୍ୟାୟକ୍ରମେ ଟିକା ଗ୍ରହଣ କରିସାରିଥିବେ ।

ଅନ୍ୟ ପଟେ ଏହା ମଧ୍ୟ କୁହାଯାଇଛି ଯେ, ଘାତକ ମହାମାରୀର ତୃତୀୟ ଲହର ପିଲା ତଥା ଯୁବପିଢ଼ିଙ୍କ ପାଇଁ ବିପଦ ହୋଇପାରେ । ଏହି କଥା ଉପରେ ଏକ୍ସପର୍ଟ ମାନେ ସମ୍ମତି ମଧ୍ୟ ପ୍ରକାଶ କରିଛନ୍ତି । ଜଣେ ବିଶେଷଜ୍ଞ ଏ ସମ୍ପର୍କରେ କହିଛନ୍ତି ଯେ, ୧୮ରୁ କମ୍ ବର୍ଷର ପିଲାଙ୍କ କ୍ଷେତ୍ରରେ ବିପଦ ଅଧିକ ରହିବ । କାରଣ ବର୍ତ୍ତମାନ ସେମାନଙ୍କୁ ଟିକା ଦିଆଯିବା ନେଇ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.