ନୂଆଦିଲ୍ଲୀ- କ୍ରେଡିଟ କାର୍ଡଧାରୀଙ୍କ ପାଇଁ ସତର୍କ ଘଣ୍ଟି । ସ୍କାମର ବୁଲୁଛନ୍ତି ବଜାରରେ, ଯିଏ କ୍ରେଡିଟକାର୍ଡଧାରୀଙ୍କୁ ଲଗାଉଛନ୍ତି ଚୂନ । କାର୍ଡର ଲିମିଟ ବଢାଇ ଦେବାର ପ୍ରତିଶ୍ରୁତି ଦେଇ ଠକିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ନୋଏଡା ପୋଲିସ । ଗ୍ୟାଙ୍ଗରୁ ୬ ଜଣଙ୍କୁ କରିବା ପରେ କେମିତି କ୍ରେଡିଟ କାର୍ଡ ହୋଲ୍ଡରଙ୍କୁ କାର୍ଡର ଲିମିଟ ବଢାଇବାକୁ କହି ଠକୁଥିଲେ ତାହା ଜଣାପଡିଛି ।
ପୋଲିସର ସୂଚନା ମୁତାବକ, କ୍ରେଡିଟ୍ କାର୍ଡ ହୋଲ୍ଡରଙ୍କୁ ଏହି ଠକମାନେ ବ୍ୟାଙ୍କ ଅଧିକାରୀ ଭାବେ କଲ କରୁଛନ୍ତି । ସେମାନଙ୍କୁ କାର୍ଡର ଲିମିଟ ବଢାଇବାକୁ ଦେଉଛନ୍ତି ଲୋଭନୀୟ ଅଫର । ସେମାନଙ୍କ ବାକ୍ ଚାତୁରୀରେ କେହି ଫସିଗଲେ ସରିଲା । ଏମାନେ କାର୍ଡ ହୋଲ୍ଡରଙ୍କଠାରୁ ସେମାନଙ୍କ ଲିମିଟ ବଢାଇବା ପାଇଁ ସମସ୍ତ ତଥ୍ୟ ସଂଗ୍ରହ କରି ନେଉଥିଲେ । ଏହା ପରେ ସ୍କାମର୍ସ ନିଜ ଜାଲରେ ଲୋକଙ୍କୁ ଫସାଇ ଫିଶିଂ ଲିଙ୍କ ପଠାଉଥିଲେ । ଏହାକୁ କ୍ଲିକ କରିବା ମାତ୍ରେ ସେହି ବ୍ୟକ୍ତି ନକଲି ୱେବସାଇଟକୁ ଚାଲିଯାଉଥିଲେ ।
ସେହି ୱେବସାଇଟ ବିଲକୁଲ ବ୍ୟାଙ୍କର ପୋର୍ଟାଲ ପରି । ଏଥିରେ ଥରେ କାର୍ଡ ହୋଲ୍ଡର ଏଣ୍ଟ୍ରି କରିବା ପରେ ଏକ ଆପ ଡାଉନଲୋଡ କରିବାକୁ କୁହାଯାଉଥିଲା । ଏହା ପରେ ସେଥିରେ ସେମାନଙ୍କ ସବୁ ବ୍ୟକ୍ତିଗତ ତଥ୍ୟ ଭରିବାକୁ କୁହାଯାଉଥିଲା । ଯେମିତି କି କ୍ରେଡିଟ କାର୍ଡ ନମ୍ବର, ଇମେଲ, ପ୍ୟାନ, ଆଧାର, ବର୍ତ୍ତମାନର କ୍ରେଡିଟ କାର୍ଡ ଲିମିଟି, ସିଭିଭି ନମ୍ବର ଆଦି ।
ସବୁ ତଥ୍ୟ ଦେବା ପରେ ଆସୁଥିଲା ଏକ ଓଟିପି । ଏହି ଓଟିପି ଦେବା ପରେ ସ୍କାମର କ୍ରେଡିଟ କାର୍ଡ ହୋଲ୍ଡରଙ୍କ ବ୍ୟବହାର କରି ଅନଲାଇନ କିଣାକିଣି କରୁଥିଲେ । ଏଥିରେ ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକ୍ସନ କରି ନେଉଥିଲେ । ଏହି ସବୁ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ଫଟାଇ ଦେଇଛି । ତେଣୁ ଏମିତି କ୍ରେଡିଟ କାର୍ଡ ଲିମିଟ ବଢାଇବାକୁ ଅଫର ଆସୁଥିଲେ ସାବଧାନ ରୁହନ୍ତୁ ।