ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିବେ ଘୋଷଣା । ଏହି ଅବସରରେ ସେ କୋଭିଡ୍ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଲକଡାଉନ୍ ଅବଧି ବୃଦ୍ଧି ଓ ବାତ୍ୟା କ୍ଷୟକ୍ଷତି ନେଇ ସେ ଘୋଷଣା କରିବାର ସମ୍ଭାବନା ରହିଛି ।
ଦେଶରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରରେ ସରକାର ଲକଡାଉନ ବଢ଼ାଇବେ ନା ନାହିଁ, ତା’ ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ରାଜ୍ୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେ ବି ପ୍ରାୟ ୧୪ ପ୍ରତିଶତ ରହିଛି । ଆଗକୁ ସାବିତ୍ରୀ, ରଜ ଆଦି ପର୍ବପର୍ବାଣି ଆସୁଥିବାରୁ ଜନଗହଳି ହେବାର ଆଶଙ୍କା ରହିଛି । ଏହା ଉପରେ ମଧ୍ୟ ସରକାର ଦୃଷ୍ଟି ଦେଇ ପାରନ୍ତି । ଅନ୍ୟପକ୍ଷେ ଦିଲ୍ଲୀରେ କଟକଣା କୋହଳ କରାଯାଇ ଆସନ୍ତା ଜୁନ ୭ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ସେହିପରି କେରଳରେ ଜୁନ ୯ ପର୍ଯ୍ୟନ୍ତ ତାଲାବନ୍ଦ ନିଷ୍ପତ୍ତି ହୋଇଛି । ପୁଡ଼ୁଚେରୀ, ମେଘାଳୟ ଓ ହିମାଚଳ ପ୍ରଦେଶରେ ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।