fbpx

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘CSP Plus’ ବ୍ୟାଙ୍କିଂ ଆଉଟଲେଟ୍: କେଉଁ ଜିଲ୍ଲାରେ କେତୋଟି ଖୋଲିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବର୍ତ୍ତମାନ ବ୍ୟାଙ୍କିଂ ସେବା ନାହିଁ । ତେଣୁ ଏହିସବୁ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ବୁଝାମଣା କରାଯାଇ ‘ସିଏସପି ପ୍ଲସ’ ବ୍ୟାଙ୍କିଂ ଆଉଟଲେଟ୍ ଖୋଲାଯିବ ।

ସୂଚନା ମୁତାବକ, ସ୍ଥାୟୀ ବ୍ୟାଙ୍କ ଶାଖା ନଥିବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ଖୁବଶୀଘ୍ର ବ୍ୟାଙ୍କିଂ ସେବା ପହଞ୍ଚିବ । ଫଳରେ ଗରିବ ଶ୍ରେଣୀର ଲୋକମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇ ପାରିବେ । ତେବେ ସେହି ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ), ବ୍ୟାଙ୍କ ଅଫ୍ ବରୋଦା (ବିଓବି), ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ), ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଆଦି ରହିଛନ୍ତି । ଏହିସବୁ ବ୍ୟାଙ୍କମାନେ ରାଜ୍ୟରେ ‘ସିଏସପି ପ୍ଲସ’ ବ୍ୟାଙ୍କିଂ ଆଉଟଲେଟ୍ ପ୍ରତିଷ୍ଠା କରିବେ ।

ତେବେ ରାଜ୍ୟରେ ଏସବିଆଇ ସବୁଠାରୁ ଅଧିକ ୧୪୮୭ଟି ଆଉଟଲେଟ୍ ପ୍ରତିଷ୍ଠା କରିବ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୩ଟି ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବ । ପିଏନବି ୭୭୭ଟି, ୟୁବିଆଇ ୬୭୫ଟି, ୟୁକୋ ୬୬୦ଟି, ବିଓଆଇ ୫୨୫ଟି , ବିଓବି ୨୩୪ଟି ଆଉଟଲେଟ୍ ଖୋଲିବ । ମୟୁରଭଞ୍ଜରେ ୨୮୮ଟି, କଟକରେ ୨୪୦ଟି, ବାଲେଶ୍ୱରରେ ୨୨୪ଟି, ସୁନ୍ଦରଗଡ଼ରେ ୨୦୯ଟି, ଯାଜପୁରରେ ୨୦୭ଟି, ବରଗଡ଼ରେ ୧୮୫ଟି, କୋରାପୁଟରେ ୧୮୩ଟି, ନବରଙ୍ଗପୁରରେ ୧୬୦ଟି ଆଉଟଲେଟ୍ ଖୋଲିବ ।

ସେହିପରି ଅନୁଗୁଳରେ ୧୫୮ଟି, କେନ୍ଦୁଝରରେ ୧୫୫ଟି, ଢେଙ୍କାନାଳରେ ୧୪୭ଟି, କନ୍ଧମାଳରେ ୧୪୬ଟି, ପୁରୀରେ ୧୪୫ଟି, ରାୟଗଡ଼ାରେ ୧୩୭ଟି, ନୟାଗଡ଼ରେ ୧୩୭ଟି, ବଲାଙ୍ଗିରେ ୧୨୯ଟି, କଳାହାଣ୍ଡିରେ ୧୨୩ଟି, କେନ୍ଦ୍ରାପଡ଼ାରେ ୧୨୧ଟି, ଭଦ୍ରକରେ ୧୧୪ଟି, ଜଗତସିଂହପୁରରେ ୧୦୧ଟି, ଗଜପତିରେ ୧୦୦ଟି, ସମ୍ବଲପୁରରେ ୯୬ଟି, ନୂଆପଡ଼ାରେ ୯୫ଟି, ମାଲକାନଗିରିରେ ୯୦ଟି, ସୁବର୍ଣ୍ଣପୁରରେ ୮୨ଟି, ଖୋର୍ଦ୍ଧାରେ ୮୨ଟି, ଝାରସୁଗୁଡ଼ାରେ ୫୫ଟି, ଦେବଗଡ଼ରେ ୫୩ଟି, ବୌଦ୍ଧରେ ୪୯ଟି ଖୋଲିବ । ବ୍ୟାଙ୍କିଂ ଆଉଟଲେଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫ ବର୍ଷ ପାଇଁ ମାଗଣାରେ ଜମି ଯୋଗାଇଦେବା ସହତ ସ୍ଥାୟୀ ଭାବେ ଅର୍ଥ ମଧ୍ୟ ପ୍ରଦାନ କରିବେ ।

Get real time updates directly on you device, subscribe now.