କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ CUET ବାଧ୍ୟତାମୂଳକ: UGC

ନୂଆଦିଲ୍ଲୀ: ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ବାଧ୍ୟତାମୂଳକ ହେବ । ଦ୍ୱାଦଶ ଶ୍ରେଣୀର ମାର୍କକୁ ଏଥିନିମନ୍ତେ ବିଚାରକୁ ନିଆଯିବ ନାହିଁ । ସମଗ୍ର ଭାରତବର୍ଷର ମୋଟ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସିୟୁଇଟି ସ୍କୋରକୁ ଆଧାରକରି ନାମଲେଖା ଯିବ । ଏହି ନୂଆ ନିୟମ ଶିକ୍ଷାବର୍ଷ ୨୦୨୨-୨୩ରୁ ଲାଗୁ ହେବ ବୋଲି କହିଛନ୍ତି ୟୁଜିସି ଅଧ୍ୟକ୍ଷ ଏମ.ଜଗଦେଶ କୁମାର ।

ଶ୍ରୀ କୁମାର କହିଛନ୍ତି ଯେ, ଜୁଲାଇ ମାସ ପ୍ରଥମ ସପ୍ତାହରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ହିନ୍ଦି, ଇଂରାଜୀ, ଗୁଜୁରାଟୀ, ଆସାମୀ, ବେଙ୍ଗଲୀ, କନ୍ନଡ଼, ମାଲୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଆଦି ୧୩ଟି ଭାଷାରେ ଉପଲବ୍ଧ ହେବ । ବିଦେଶୀ ଛାତ୍ରଛାତ୍ରୀଙ୍କୁ ସିୟୁଇଟି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏହି ନିୟମ ଅନୁଯାୟୀ, ବିଦେଶୀ ଛାତ୍ରଛାତ୍ରୀମାନେ ଭାରତରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିବେ । ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଏ ବିଷୟରେ ଅଧିକ ସୁବିସ୍ତୃତ ବିବରଣୀ ଜାଣିବା ପାଇଁ https://nta.ac.in ୱେବସାଇଟ୍ ପରିଦର୍ଶନ କରିପାରିବେ ।