ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ସହ ଦକ୍ଷିଣ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଜଣାପଡିଛି । ଆଜି ସକାଳ ୫ଟା ୩୦ରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।

ତେବେ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ହେବା ନେଇ ସୂଚନା ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ଆସାନୀର ଗତିପଥ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ବାତ୍ୟା ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ଓଡ଼ିଶାବାସୀ ଆଶା ଓ ଆଶଙ୍କାରେ ରହୁଛନ୍ତି ।