fbpx

ଓଡ଼ିଶା ଉପରୁ ଟଳିଲା ବିପଦ, ଉପକୂଳ ଛୁଇଁବନି ବାତ୍ୟା: ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ ଅବପାତ, ପୁରୀଠୁ ୧୨୫୦ କି.ମି. ଦୂରରେ ଅବସ୍ଥିତ

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଆଶଙ୍କା ଓ ଭୟ ରହିଥିଲା ଆପାତତଃ ତାହାର ଅବସାନ ଘଟିବାକୁ ଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂନ ନେଲେ ମଧ୍ୟ ଏହା ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବନି । ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଏହା ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ । ଓଡ଼ିଶା ହେଉ କି ଆନ୍ଧ୍ର କେଉଁଠି ବି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି । ବାତ୍ୟା ସମୁଦ୍ର ଉପରେ ଚାଲିଯିବା ସହ ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବ । ଅନ୍ୟପକ୍ଷରେ ସମାନ କଥା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍‌.କେ.ଜେନାମଣୀ । ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ପୁରୀ ଠାରୁ ୧୨୫୦ କି.ମି. ଦୂର ଓ ପୋର୍ଟବ୍ଲେୟାର ଠାରୁ ୩୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଅବପାତ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ଏହାପରେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ । କିନ୍ତୁ ଏହା ସ୍ଥଳଭାଗ ଛୁଇଁବ ନାହିଁ । ୧୦ ତାରିଖ ସନ୍ଧ୍ୟା ବେଳକୁ ଏହା ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ । ଏହି ବାତ୍ୟା ପାଇଁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନେ ୮ତାରିଖ ସୁଦ୍ଧା ଘରକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିନେଇ ନୌସେନା ଓ ତଟରକ୍ଷୀ ବାହିନୀକୁ ସଜାଗ ରଖାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍‌ କରୁନଥିଲେ ମଧ୍ୟ ୧୦ ତାରିଖ ସନ୍ଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହେବ । ସେହିରି ଆଉକିଛି ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.