fbpx

ଘଣ୍ଟା ପ୍ରତି ୯ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ପୁରୀରେ ଛୁଇଁପାରେ ସ୍ଥଳଭାଗ: ଆଜିଠୁ ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ/ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଶୁକ୍ରବାର ପୂର୍ବାହ୍ନରେ ବାତ୍ୟା “ଜୱାଦ୍‌’ରେ ପରିଣତ ହୋଇଛି । ଏନେଇ ଭାରତୀୟ ପାଣିାଗ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଶନିବାର ସନ୍ଧ୍ୟା ପରେ ଏହି ବାତ୍ୟାର ଦିଗ ପରିବର୍ତ୍ତନ ହେବ ।

ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବ । ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁ ପାରେ କିମ୍ବା ପୁରୀ ନିକଟ ଦେଇ ଏହା ସମୁଦ୍ରଥରେ ଗତି କରିବ । ଉପକୂଳ ଛୁଇଁବା ପରେ ଏହା କ୍ରମେ ଦୁର୍ବଳ ହେବ । ଏହା ପ୍ରଭାବରେ ଶନିବାର ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଶନିବାର ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଟିକେ ଉଚ୍ଚ ଜୁଆର ଆସିବ ବୋଲି ସେ କହିଛନ୍ତି । ନିୟମିତ ପ୍ରାୟ ୪ ମିଟର ଉଚ୍ଚ ଜୁଆର ଆସିଥାଏ । ବାତ୍ୟା ଯୋଗୁ ଏହା ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ନିକଟବର୍ତ୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସେ କହିଛନ୍ତି, ବାତ୍ୟା ‘ଜୱାଦ’ର କୋପ ବାତ୍ୟା ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତଲି’ ଠାରୁ କମ୍‌ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବାତ୍ୟା ଜୱାଦ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି ଯେ ବାତ୍ୟା ଗତ ୬ ଘଣ୍ଟା ଧରି ସମୁଦ୍ର ଭିତରେ ଘଣ୍ଟାପ୍ରତି୯ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

ବାତ୍ୟା ଜୱାଦ ଏବେ ପୁରୀ ଉପକୂଳଠାରୁ ମାତ୍ର ୪୩୦ କିଲୋମିଟର ଦୂରରେ ଅଛି । ପାଣିାଗ ବିଭାଗର ସୂଚନା ଅନୁସାରେ ଏହା ଏବେ ଗୋପାଳପୁରଠାରୁ ୩୬୦ ଓ ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ସେ କହିଛନ୍ତି । ତେବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ କରାଯାଇଥିବାବେଳେ ସେଭିତରୁ ୨୪୭ଟି ଟିମ୍‌କୁ ମୁତୟନ କରାଯାଇଛି । ଏବେ ୧୯ଟି ଟିମକୁ ରିଜର୍ଭରେ ରଖାଯାଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏଯାଏ ଆଇଏମ୍‌ଡି ସ୍ପଷ୍ଟ କରିନି । ଯଦି ସ୍ଥଳଭାଗ ଛୁଏଁ, ଅଳ୍ପ ଛୁଇଁ ବାତ୍ୟା ପୁଣି ସମୁଦ୍ର ମଧ୍ୟରେ ଯିବ । ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୫ କିମି ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.