fbpx

Cyclone Update: ହଟିଲା ବାତ୍ୟା ଭୟ, ଓଡ଼ିଶାରୁ ବିଦାୟ ନେଲା ମୌସୁମୀ, ୨୩ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରହିଥିବା ଆଶଙ୍କା ହଟିଯାଇଛି । ଓଡ଼ିଶାରେ ବାତ୍ୟା ସିଧାସଳଖ ଭାବେ କୌଣସି ପ୍ରଭାବ ପକାଇବନି । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ସେହିପରି ୨୫ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏକ ପ୍ରେସମିଟ ମାଧ୍ୟମରେ ସବିଶେଷ ସୂଚନା ଦେଇଛନ୍ତି ।

ଓଡ଼ିଶାରୁ ଏବେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ବିଦାୟ ନେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାକୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏବେ ଏନେଇ ଆଶ୍ୱସ୍ତି ମିଳିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ରେ ଗଭୀର ଅବପାତରେ ପରିଣତ ହୋଇ ପରେ ଏହା ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ।

ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ଓଡ଼ିଶା ଉପକୂଳରୁ ବାତ୍ୟା ସମାନ୍ତରାଳ ଭାବେ ଗତି କରିବ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ ବାତ୍ୟା । ପରେ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗ ଆଡ଼କୁ ଗତି କରିବା ନେଇ ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବାତ୍ୟାକୁ ଏକ ଗୁଜବ ବୋଲି ଦର୍ଶାଯାଇଥିଲା । ମାତ୍ର ଗତ ୧୯ ତାରିଖରେ ଆଇଏମଡି ପକ୍ଷରୁ ବାତ୍ୟା ନେଇ ସତର୍କତା ସୂଚନା ଜାରି କରାଯାଇଥିଲା ।

Get real time updates directly on you device, subscribe now.