fbpx

ହୋଲି ପୂର୍ବରୁ ବଡ଼ ଉପହାର: ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ ଏହା ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ନିଷ୍ପତ୍ତି ନେଇଛନ୍ତି । ଦେଶର ୩ଟି ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏପରି ସ୍ଥିତିରେ ଆଗକୁ ହୋଲି ଆସୁଥିବା ବେଳେ ତା’ ପୂର୍ବରୁ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି ।

ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଅରୁଣାଚଳ ପ୍ରଦେଶ ସରକାର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ଘୋଷଣା କରିଛନ୍ତି । ଝାଡ଼ଖଣ୍ଡ ସରକାର ଡିଏ ବୃଦ୍ଧି କରି ମୂଳ ବେତନର ୫୦ ପ୍ରତିଶତ କରିଦେଇଛନ୍ତି । ଏହା ପୂର୍ବରୁ କର୍ମଚାରୀଙ୍କୁ ୪୬ ପ୍ରତିଶତ ଡିଏ ମିଳୁଥିଲା । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃର୍ଦ୍ଧିତ ଡିଏ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପାଖାପଖି ୧.୯୦ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

ସେହିପରି କର୍ଣ୍ଣାଟକ ସରକାର କର୍ମଚାରୀଙ୍କ ଡିଏ ୩୮.୭୫ରୁ ବୃଦ୍ଧି କରି ୪୨.୫୦ ପ୍ରତିଶତ କରିଛନ୍ତି । ରାଜ୍ୟ ସରକାର ୩.୭୫ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ତାହା ଗତ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷ ଉପରେ ୧୭୯୨.୭୧ କୋଟିର ଭାର ପଡ଼ିବ । ସେହିପରି ୟୁଜିସି, ଏଆଇସିଟିଇ, ଆସିଏଆର ଓ ଜେଏନପିସି ପେ’ ସ୍କେଲରେ ବେତନ ପାଉଥିବା କର୍ମଚାରୀଙ୍କ ଡିଏ ୪୬ରୁ ୫୦ ପ୍ରତିଶତ କରିଛନ୍ତି । ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ସରକାର କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି । ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ଓ ଏହାଦ୍ୱାରା ରାଜ୍ୟର ୬୮,୮୧୮ ଜଣ ସରକାରୀ କର୍ମଚାରୀ ଓ ୩୩,୨୦୦ ଜଣ ପେନସନଧାରୀ ଉପକୃତ ହେବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୨୪.୨୦ କୋଟି ଖର୍ଚ୍ଚ ବହନ କରିବେ ।

Get real time updates directly on you device, subscribe now.