fbpx

Mumbai Indians ଉପରେ ବିପଦ! କେବେ ଦଳକୁ ଫେରିବେ ସଂକଟମୋଚକ? ସୂର୍ଯ୍ୟକୁମାରଙ୍କୁ ଖୋଜୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଘୋର ସଂକଟରେ ପଡ଼ିଯାଇଛି । ଲଗାତାର ଦୁଇଟି ମ୍ୟାଚରେ ପରାଜୟର ସାମନା କରିଛି ମୁମ୍ବାଇ । ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଫ୍ୟାନ୍ସମାନେ ଯେଉଁ ଆଶା ରଖିଥିଲେ, ତାହା ଧିରେ ଧିରେ ଭାଙ୍ଗିବାରେ ଲାଗିଛି । ହାଇଦ୍ରାବାଦ ବିପକ୍ଷରେ ବଡ଼ ପରାଜୟ ମୁମ୍ବାଇ ପଲଟନକୁ ସବୁଠୁ ବଡ଼ ଝଟକା ଦେଇଛି । ତେବେ ଏହି ସମୟରେ ଦଳରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଅଭାବ ପରିଲକ୍ଷିତ ହୋଇଛି । ସୂର୍ଯ୍ୟକୁମାରଙ୍କ ଉପସ୍ତିତି ଏହି ମ୍ୟାଚରେ ବିଜୟ ଆଣି ପାରିଥାନ୍ତା ବୋଲି ଆଶା କରୁଛନ୍ତି ଫ୍ୟାନ୍ସ । ତେବେ ବର୍ତ୍ତମାନ ଦଳରେ ସୂର୍ଯ୍ୟକୁମାରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଏକ ବଡ଼ ଅପଡେଟ ଆସିଛି । କେବେ ଫେରିବେ ‘ମିଷ୍ଟର ଡିପେଣ୍ଡେବଲ’?

ଆଇପିଏଲ-୨୦୨୪ରେ ମୁମ୍ବାଇ ସଂଘର୍ଷ କରୁଥିବା ବେଳେ ଦଳର ସଂକଟମୋଚକ ସୂର୍ଯ୍ୟକୁମାରଙ୍କୁ ଅପେକ୍ଷା କରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଦଳରେ ସୂର୍ଯ୍ୟକୁମାରଙ୍କ କମବ୍ୟାକକୁ ନେଇ ବିସିସିଆଇ ଏକ ବଡ଼ ଅପଡେଟ ଦେଇଛି । ବୋର୍ଡ ପକ୍ଷରୁ ସୂଚନା ମିଳିଛି ଯେ, ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ପାରିନାହାନ୍ତି । ତେଣୁ ଆଗାମୀ କିଛି ମ୍ୟାଚରେ ମଧ୍ୟ ହାର୍ଦ୍ଦିକ ସୂର୍ଯ୍ୟକୁମାରଙ୍କ ବିନା ମଇଦାନକୁ ଓହ୍ଲାଇବେ । ତେବେ ସେ ରିକଭରୀ କରୁଛନ୍ତି ଏବଂ ଖୁବଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କମବ୍ୟାକ କରିପାରନ୍ତି ବୋଲି ବୋର୍ଡ ପକ୍ଷରୁ ଜଣାଯାଇଛି । ପ୍ରଥମେ ସୂର୍ଯ୍ୟକୁମାର ସିଜନର ପ୍ରଥମ ୨ଟି ମ୍ୟାଚରେ ତାଙ୍କ ଅନୁପସ୍ଥିତି ଦର୍ଶା ଯାଇଥିଲା । ବର୍ତ୍ତମାନ ଆଗାମୀ କିଛି ମ୍ୟାଚରେ ମଧ୍ୟ ସେ ଉପଲବ୍ଧ ରହିବେ ନାହିଁ ବୋଲି କୁହାଯାଇଛି ।

ତେବେ ସୂର୍ଯ୍ୟକୁମାରଙ୍କ ଫିଟନେସକୁ ନେଇ ରିସ୍କ ନେବାକୁ ଚାହୁଁନି ବିସିସିଆଇ । ଆଇପିଏଲ ପରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନଜରରେ ରଖି ବିସିସିଆଇ ସୂର୍ଯ୍ୟକୁମାରଙ୍କୁ ପ୍ରସ୍ତୁତ କରୁଛି । ତେବେ ଖୁବଶୀଘ୍ର ତାଙ୍କୁ ପୁଣିଥରେ କ୍ରିକେଟ ଗ୍ରାଉଣ୍ଡରେ ମୁମ୍ବାଇ ଜର୍ସିରେ ଖେଳୁଥିବାର ଦେଖିବାକୁ ମିଳିବ । ଟି-୨୦ ଫର୍ମାଟରେ ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ପାଲଟିଛନ୍ତି ସୂର୍ଯ୍ୟକୁମାର ଯାଦବ । ଟିମ ଇଣ୍ଡିଆ ପକ୍ଷରୁ ସୂର୍ଯ୍ୟକୁମାର ୬୦ଟି ଟି-୨୦ ମ୍ୟାଚରୁ ୪ଟି ଶତକ ସହ ୨୧୪୧ ରନ୍ ସ୍କୋର କରିଛନ୍ତି । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ଭାରତ ପାଇଁ ସେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା ରଖିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.