fbpx

ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ଏପ୍ରିଲରୁ ରାତିରେ କଟିପାରେ ବିଜୁଳି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତାତିରେ ଘରୁ ବାହାରିବା ସମ୍ଭବପର ହୋଇପାରୁ ନାହିଁ । ଦେଶରେ କେତେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏହା ଅଧିକ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏପରି କ୍ଷେତ୍ରରେ ଆସନ୍ତା ଏପ୍ରିଲରୁ ରାତିରେ ବିଦ୍ୟୁତକାଟ୍ ଭଳି ସମସ୍ୟାର ସମୁଖୀନ ହେବାକୁ ପଡ଼ିପାରେ ବୋଲି ବିଭିନ୍ନ ସୂତ୍ରରୁ ସୂଚନା ଦିଆଯାଇଛି । ଏପରିକି ବିଦ୍ୟୁତ ଉତ୍ପାଦନରେ ମଧ୍ୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ବିଶେଷ କରି କୋଇଲାରେ ଚାଲୁଥିବା ବିଦ୍ୟୁତ ପ୍ଲାଣ୍ଟକୁ ସଂଯୋଗ କରିବାରେ ବିଳମ୍ବ ଓ ହାଇଡ୍ରୋ ପାୱାର ପ୍ରୋଜେକ୍ଟରୁ କମ୍ ବିଦ୍ୟୁତ୍ ଉତ୍ପାଦନ ଯୋଗୁ ଏଭଳି ସମସ୍ୟା ଦେଖାଦେଇ ପାରେ ।

ମିଳିଥିବା ରିପୋର୍ଟ ଅନୁସାରେ ସୋଲାର ପାୱାରପ୍ଲାଣ୍ଟ ଯୋଗୁ ଦିନ ସମୟରେ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ ହୋଇଯାଇ ପାରେ କିନ୍ତୁ ରାତିରେ ଏହା ଉପଲବ୍ଧ ହୋଇ ନ ପାରିବା କାରଣରୁ ବିଦ୍ୟୁତ୍ ସଙ୍କଟର ସମୁଖୀନ ହେବାକୁ ପଡ଼ିପାରେ । ଫେଡେରାଲ ଗ୍ରୀଡ଼ ରେଗୁଲେଟର ଗ୍ରୀଡ଼ କଣ୍ଟ୍ରୋଲର ଅଫ୍ ଇଣ୍ଡିଆଙ୍କ ସୂଚନା ଅନୁଯାୟୀ ଏପ୍ରିଲରେ ପିକ୍ ଡିମାଣ୍ଡ କାଳରେ ୧.୭ ପ୍ରତିଶତ କମ ବିଦ୍ୟୁତ୍ ଉପଲବ୍ଧ ହୋଇପାରେ ।

ଏପ୍ରିଲ ମାସ ରାତିରେ ୨୧୭ ଗିଗାୱାଟ୍ ଚାହିଦା ରହିପାରେ । ଯାହା ଏପ୍ରିଲ ୨୦୨୨ ତୁଳନାରେ ୬.୪ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଏଣୁ ଗ୍ରୀଷ୍ମଋତୁ ରାତିରେ ବିଦ୍ୟୁତ ସଂକଟ ଉପୁଜିବାର ସମ୍ଭାବନା ରହିଛି । କୋଇଲା, ନ୍ୟୁକ୍ଲିୟର ଓ ଗ୍ୟାସ ମାଧ୍ୟମରେ ହେଉଥିବା ବିଦ୍ୟୁତ ଉତ୍ପାଦନ ମୋଟ ଚାହିଦାର ୮୩ ପ୍ରତିଶତ ପୂରଣ କରିପାରିବ । ବାକି ବିଦ୍ୟୂତ ଆବଶ୍ୟକତା ପୂରଣ ପାଇଁ ହାଇଡ୍ରୋପାୱାର ପ୍ଲାଣ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ତେବେ ଚଳିତ ଏପ୍ରିଲରେ ଗତବର୍ଷ ଏପ୍ରିଲ ମାସ ତୁଳନାରେ ହାଇଡ୍ରୋ ପାୱାରରୁ ୧୮ ପ୍ରତିଶତରୁ କମ ବିଦ୍ୟୁତ ଯୋଗାଣ ହେବ ବୋଲି କୁହାଯିବା ପରେ ଏହି ସଙ୍କଟ ଉପୁଯିବ । ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟିଙ୍କ ସୂଚନା ଅନୁଯାୟୀ ୧୬.୮ ଗିଗାୱାଟ୍ କ୍ଷମତା ସମ୍ପନ୍ନ ୨୬ କୋଲବେସଡ ପାୱାରପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ୧ ବର୍ଷ ବିଳମ୍ବ ହୋଇଛି । ତେଣୁ ବିଦ୍ୟୁତ ଚାହିଦା ଓ ଯୋଗାଣରେ ମଧ୍ୟ ଦୁରତ୍ୱ ବଢିବଢି ଚାଲିଛି ।

Get real time updates directly on you device, subscribe now.