ରାୟପୁର- ଆଜିର ଏହି ଅର୍ଥ ସର୍ବସ୍ୱ ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ । ଭାଇ, ବନ୍ଧୁଙ୍କ ପାଇଁ ସମ୍ପତ୍ତି ସବୁ । ପୁଅକୁ ଲୋଡା ବାପାର ଧନ, ଦୌଲତ । ଏମିତି କି ସମ୍ପତ୍ତି ପାଇଁ ମରିଯାଇଥିବା ମଣିଷକୁ କାନ୍ଧ ଦେବାକୁ ଅରାଜି କୁଟୁମ୍ବ । ଏମିତି ଏକ ଘଟଣା ଘଟିଛି ଛତିଶଗଡରେ । ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ପରେ ସମ୍ପତି ପାଇଁ ଅଡିବସିଥିବା ସମ୍ପର୍କୀୟ ଦେଲେନି ଅର୍ଥିକୁ କାନ୍ଧ । ଶେଷରେ ବୃଦ୍ଧଙ୍କ ୫ ଝିଅ ଆସିଲେ ବାପାଙ୍କ ଶେଷ ଯାତ୍ରାରେ କାନ୍ଧ ଦେବାକୁ । ଖାଲି କାନ୍ଧ ଦେଲେ ନାହିଁ, ଝିଅମାନେ ହିଁ ପରପାରିଗତ ବାପାଙ୍କୁ ଦେଲେ ମୁଖାଗ୍ନି ଓ ଶେଷକୃତ୍ୟ ।
ଜାଞ୍ଜଗିର- ଚାମ୍ପା ଜିଲ୍ଲାର ବିର୍ରା ଥାନା ଅଧୀନ ଘିଭରା ଗାଁରେ ବାସକରୁଥିଲେ ସୀତାରାମ କଶ୍ୟପଙ୍କର ୫ ଝିଅ । ଝିଅମାନଙ୍କୁ ବାହାସାହା କରେଇଦେଇଛନ୍ତି ସୀତାରାମ । ବୟସର ଶେଷ ପଡାରେ ଏକାକୀ ହୋଇଯାଇଥିବା ସୀତାରାମଙ୍କୁ ତାଙ୍କ ଘର ଲୋକ ସେବା କରିବା ପାଇଁ ରଖିଲେ ଏକ ସର୍ତ୍ତ । ଏଥିପାଇଁ ସେମାନେ ହିଁ ବାଣ୍ଟିନେବେ ତାଙ୍କ ସମ୍ପତ୍ତି । ଏହି ସର୍ତ୍ତରେ ରାଜି ହୋଇଥିଲେ ପାଞ୍ଚ ଝିଅ । ଅନେକ ଦିନ ରୋଗରେ ପଡିବା ପରେ ସୀତାରାମ ଗୁରୁବାର ଆଖିବୁଜି ଦେଲେ ।
ସୀତାରାମଙ୍କ ମୃତ୍ୟୁ ପରେ ଶବ ସକ୍ରାର କରିବେ କଣ ପରିବାର ଲୋକଙ୍କ ଭିତରେ ଆରମ୍ଭ ହେଲା ସମ୍ପତ୍ତି ବଣ୍ଟାକୁ ନେଇ ଟଣାଓଟରା । ମୃତଦେହ ସେମିତି ପଡି ରହିଲା । ବାପାଙ୍କ ମୃତ୍ୟୁ ଖବର ପାଇଁ ୫ ଝିଅ ପହଞ୍ଚିବା ପରେ ପରିବାର ଲୋକଙ୍କ ଦାବି ଥିଲା ଆଗ ସମ୍ପତ୍ତି ଭାଗ ବଣ୍ଟା ହେଉ, ତା ପରେ ହେବ ଅନ୍ତିମ ସଂସ୍କାର । ପରିବାର ଲୋକଙ୍କ ଜିଦି ଆଗରେ ମୁଣ୍ଡ ନୁଆଁଇଥିଲେ ଝିଅମାନେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ବାପାଙ୍କ ଶେଷକୃତ୍ୟ ଭଲରେ ଭଲରେ ହେଉ । ହେଲେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର ବର୍ଗଙ୍କ ଭିତରେ ଏମିତି ଟଣାଓଟରା ଆରମ୍ଭ ହେଲା କି କେହି ମୃତ ସୀତାରାମଙ୍କ ଶେଷକୃତ ପାଇଁ ଆସିଲେ ନାହିଁ ।
ଏହା ଦେଖି ୫ ଭଉଣୀ କୋକେଇ ସଜାଡିବା ସହ କାନ୍ଧ ଦେଇଥିଲେ ବାପାଙ୍କୁ । ଶ୍ମଶାନକୁ ନେଇ ସେଠି ଭଉଣୀମାନେ ମିଶି ମୁଖାଗ୍ନୀ ଦେଇଥିଲେ । ତା ପରେ ମୁକ୍ତିଧାମରେ ପହଞ୍ଚି ବିଧିବିଧାନରେ କରିଥିଲେ ସବୁ କର୍ମ ।