fbpx

ବ୍ଲାକମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଭୁଶୁଡ଼ିଲା: ସମସ୍ତ ଅପରାଧର ବିବରଣୀ ଦେଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାସାମ୍ରାଜ୍ୟର ରାଣୀ ଅର୍ଚ୍ଚନା ନାଗଙ୍କ ସମସ୍ତ ଗୁମର ଖୋଲି ଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ଅର୍ଚ୍ଚନା କଳା କାରବାର କରି କମ୍ ଦିନ ମଧ୍ୟରେ ଅମାପ ଧନ ସମ୍ପତ୍ତିର ପାହାଡ଼ ଉପରେ ରାଜ୍ କରିଥିଲେ । ତେବେ ଶେଷରେ ଅର୍ଚ୍ଚନାଙ୍କର ସମସ୍ତ ଚାଲ୍ ପଦାରେ ପଡ଼ିଥିଲା ଓ ପୋଲିସ ଗୋଟି ଗୋଟି କରି ସବୁ ତଥ୍ୟ ହାତେଇବାରେ ସକ୍ଷମ ହୋଇଥିଲା । ଅର୍ଚ୍ଚନାଙ୍କ ସମସ୍ତ କାରନାମାର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ ।

ଏନେଇ ଡିସିପି କହିଛନ୍ତି, ଏହି ଘଟଣାର ତଦନ୍ତ ସବୁ ଦିଗରୁ କରାଯାଉଛି । ରାଜଧାନୀ ଭୁବନେଶ୍ୱରରୁ ଲେଡି ବ୍ଲକମେଲର ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିଲା । ଅର୍ଚ୍ଚନାଙ୍କ କଳା ଧନ୍ଦା ନେଇ ଖଣ୍ଡିଗିରି ଥାନାରେ ଜଣେ ଯୁବତୀ ଦୁଇଟି ମାମଲା ଦାୟର କରିଥିଲେ । ବ୍ୟକ୍ତିଗତ ଫଟୋକୁ ରଖି ଅର୍ଚ୍ଚନା ସମସ୍ତଙ୍କୁ ବ୍ଲାକମେଲ କରୁଥିଲେ । ଅର୍ଚ୍ଚନାଙ୍କ ନାମରେ ୪୯୬/୨ରେ ୩୮୭, ୪୨୦, ୫୦୬ ଓ ଆଇଟି ଆକ୍ଟରେ କେସ୍ ରୁଜୁ କରାଯାଇଛି ।

ଅର୍ଚ୍ଚନା ଅନେକଙ୍କ ସହ ବନ୍ଧୁତ୍ୱ ବଢ଼ାଇବାର ବାହାନା କରି ବ୍ୟକ୍ତିଗତ ଫଟୋ ଉଠାଇ ନେଉଥିଲେ । ଉକ୍ତ ଫଟୋକୁ ନେଇ ପରବର୍ତ୍ତୀ ସମୟରେ ବ୍ଲାକମେଲ କରୁଥିଲେ । ଅର୍ଚ୍ଚନାଙ୍କ ଘରୁ ପୋଲିସ ବ୍ୟାଙ୍କ ପାସବୁକ, ପେନ୍ ଡ୍ରାଇଭ୍, ଲାପଟପ୍ ଜବତ କରିଥିବା ବେଳେ ତାଙ୍କର ବ୍ୟାଙ୍କ କାରବାରକୁ ତଦନ୍ତ ପରିସରଭୁକ୍ତ କରାଯିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ତଥ୍ୟ ମଗାଯାଇଛି । କେଉଁ କେଉଁମାନେ ଅର୍ଚ୍ଚନାଙ୍କ ଦ୍ୱାରା ବ୍ଲାକମେଲିଂର ଶିକାର ହୋଇଛନ୍ତି, ତା’ର ତଦନ୍ତ କରାଯାଉଛି । ଖୁବଶୀଘ୍ର ଅର୍ଚ୍ଚନାଙ୍କ ସ୍ୱାମୀ ପୋଲିସ ନିକଟରେ ହାଜର ହେବେ, ଏନେଇ ତାଙ୍କୁ ନୋଟିସ ଜାରି କରାଯାଇଛି । ଆବଶ୍ୟକ ପଡ଼ିଲେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି ।

Get real time updates directly on you device, subscribe now.