fbpx

୬ ଘଣ୍ଟା ପଡ଼ି ରହିଲା ବୃଦ୍ଧାଙ୍କ ଶବ: କରୋନା ଭାବି ଛୁଇଁଲେନି ପରିବାର, ଗ୍ରାମବାସୀ

ବାଲିଅନ୍ତା, ୧୦/୦୫: କରୋନାରେ ହଜିଯାଉଛି ମାନବିକତା । ଏହି କରୋନା ମଣିଷ ମନରେ ସୃଷ୍ଟି କରିଛି ଏଭଳି ଭୟ ଯେ ମାନବିକତା ମଧ୍ୟ ହାର ମାନିଯାଉଛି ତା’ଆଗରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଳକାଟି ରଙ୍ଗଣିସାହିରେ । ଯେଉଁଠାରେ ବାର୍ଦ୍ଦକ୍ୟଜନିତ ରୋଗରେ ପିଡୀତ ହୋଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିଲେ ମାତ୍ର କରୋନା ଭୟରେ ଶତାୟୁ ବୃଦ୍ଧାଙ୍କ ଶବକୁ ଛୁଇଁଲେନି କେହି । ପରିବାରବର୍ଗ, ଜ୍ଞାତିକୁଟୁମ୍ବ, ଆତ୍ମୀୟସ୍ୱଜନ, ବନ୍ଧୁ କେହିବି ନେଲେନାହିଁ ସବ ସତ୍କାର କରିବା ପାଇଁ  । ଫଳରେ ଦୀର୍ଘ ୬ ଘଣ୍ଟା ଧରି ପଡି ରହିଲା ଶବ । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଶ୍ରୀ ଜୟଦେବ ପ୍ରେସ ୟୁନିଅନର ସାମ୍ବାଦିକମାନେ ଶବକୁ ସତ୍କାର କରିଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୃତ ଶତାୟୁ ବୃଦ୍ଧା ଜଣକ ହେଲେ ରଙ୍ଗଣିସାହି ଅଞ୍ଚଳର ତଅପୋଇ । ଦୀର୍ଘ ଚାରି ଦିନ ଧରି ସେ ବାର୍ଦ୍ଦକ୍ୟଜନିତ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ରବିବାର ଭୋର ୪ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ଖବର ପରିବାର ଲୋକ ପଡୋଶୀ, ବନ୍ଧୁ ପରିଜନ ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ ମାତ୍ର କରୋନା ହେବା ସନ୍ଦେହରେ କେହିବି ଶବ ସତ୍କାର କରିବାକୁ ଆସିଲେ ନାହିଁ ପରିବାର ଲୋକ ମଧ୍ୟ ଡରରେ ଶବ ପାଖକୁ ଗଲେ ନାହିଁ । ଫଳରେ ଦୀର୍ଘ ଛଅ ଘଣ୍ଟା ଧରି ପହିରହିଲା ଶବ । ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଶ୍ରୀ ଜୟଦେବ ପ୍ରେସ ୟୁନିଅନର ସାମ୍ବାଦିକମାନେ ବୃଦ୍ଧାଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ । ସକାଳ ପ୍ରାୟ ୧୦ଟାରେ ସେମାନେ କୋକେଇରେ ଶବକୁ କାନ୍ଧେଇ ଦୁଇ କିଲୋମିଟର ଦୂର ରଥିଜେମାସ୍ଥିତ ଶ୍ମଶାନକୁ ଶବ ସତ୍କାର ପାଇଁ ନେଇଥିଲେ । ବାଲିଅନ୍ତା ପୋଲିସ ସେମାନଙ୍କୁ ପିପିଇ କିଟ୍ ଯୋଗାଇ ଥିଲେ । ଶ୍ମଶାନରେ ପରମ୍ପରା ମୁତାବକ ଶବ ସତ୍କାର କରାଯାଇଥିଲା ।

ଏହି ମହତ୍ କାର୍ଯ୍ୟରେ ୟୁନିୟନର ସଭାପତି ନିରଞ୍ଜନ ସେନାପତି, ସଂପାଦକ ବଟକୃଷ୍ଣ ମହାପାତ୍ରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ । ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସହ ଅନ୍ୟ ୩ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଦୁଃଖର ବିଷୟ ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ସହଯୋଗ କରିନଥିଲେ ।

 

Get real time updates directly on you device, subscribe now.