fbpx

”ଜୀବନ ନେଇ ପାରେ.. ଦେଇ ବି ପାରେ”, ୨୮୬ କୋଟି ଟଙ୍କା ମୂଲ୍ୟର ‘ଡେଥ୍‌ଷ୍ଟକର୍‌’ର ବିଷ: ୨ ମିଲିଗ୍ରାମ୍‌ର ଗରଳ ସଂଗ୍ରହ ପାଇଁ ଦୁଇ-ତିନି ସପ୍ତାହ ଲାଗିଥାଏ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ମଣିଷର ଜୀବନ ନେଉଥିବା ଅଧିକାଂଶ ବିଷର ମୂଲ୍ୟ ବେଶ୍‌ ଅଧିକ । ସବୁଠାରୁ ମୂଲ୍ୟବାନ୍‌ ହେଉଛି  ଡେଥ୍‌ଷ୍ଟକର୍‌ ନାମକ କଙ୍କଡ଼ା ବିଛାର ବିଷ । ଏହାର ଗାଲନ୍‌(୧ ଗାଲନ୍‌ = ୩.୭୮୫୪୧ ଲିଟର୍‌) ପିଛା ମୂଲ୍ୟ ୨୮୬ କୋଟି ୧୮ ଲକ୍ଷ ଟଙ୍କା । ଡେଥ୍‌ଷ୍ଟକରର ଦଂଶନ ଦ୍ୱାରା ପ୍ରାପ୍ତ-ବୟସ୍କ ସୁସ୍ଥ-ସବଳ ମଣିଷର ଜୀବନ ନଗଲେ ବି ଅତ୍ୟନ୍ତ ଯନ୍ତ୍ରଣା ହୁଏ ।

ଶିଶୁ ଓ ବୃଦ୍ଧମାନେ ଏହାର ଦଂଶନରେ ପ୍ରାଣ ହରାଉଥିବାର ଅନେକ ନଜିର ଅଛି । ଗୋଟିଏ ଡେଥ୍‌ଷ୍ଟକର୍‌ ଠାରୁ ମାତ୍ର ଦୁଇ ମିଲିଗ୍ରାମ୍‌ର ବିଷ ମିଳେ । କେବଳ ଅଭିଜ୍ଞ ପେସାଦାରମାନେ ହାତ ଦ୍ୱାରା ଏହାର ବିଷ ବାହାର କରିାରନ୍ତି । ଥରେ ବିଷ ବାହାରିଗଲେ, ପୁନଃ ସୃଷ୍ଟି ହେବା ପାଇଁ ଦୁଇ-ତିନି ସପ୍ତାହ ଲାଗିଯାଏ । ମସ୍ତିଷ୍କରେ ହେଉଥିବା ଆବୁ ବା ଟ୍ୟୁମର୍‌ର ଚିକିତ୍ସା ପାଇଁ ଏହି ବିଷରେ ଥିବା ଏକ ଉପାଦାନ ବ୍ୟବହୃତ ହେଉଥିବା ଜଣାଯାଏ ।

ଉଲ୍ଲେଖଯୋଗ୍ୟ ଯେ, ଡେଥ୍‌ଷ୍ଟକର୍‌ର ବିଷଠାରୁ ମଧ୍ୟ ଆଉ ଏକ ଦୁର୍ମୂଲ୍ୟ ତରଳ ପଦାର୍ଥ ଅଛି । ତାହା ହେଉଛି, ‘ଗାଲିଲିଓ’ ନାମକ ଅଶ୍ୱର ରେତ । ‘ବିଜ୍‌ନେସ୍‌ ଇନ୍‌ ସାଇଡର୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ‘ଗାଲିଲିଓ’ର ଏକ ଗାଲନ୍‌ରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୫୯ କୋଟି ଛପନ ଲକ୍ଷ ଟଙ୍କା ।

Get real time updates directly on you device, subscribe now.