ଯୋଗୀ ସରକାରଙ୍କ ନିଷ୍ପତିରେ ବଢିଲା ବିଜେପି ନେତାଙ୍କ ଟେନସନ ! ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଲେ ଗୁହାରି, ଜାଣନ୍ତୁ ପୁରା ମାମଲା

ପାଟନା ୧୭ ।୦୫: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗଙ୍ଗାରେ ବହୁଥିବା ମୃତଦେହକୁ ନେଇ ଯୋଗୀ ସରକାର ଓ ବିହାରର ନୀତିଶ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ଏହି ଘଟଣାରେ ଦୁଇ ରାଜ୍ୟ ସରକାରର ପ୍ରଶାସନ ପରସ୍ପର ଉପରେ ଦୋଷ ଲଦିବାରେ କୌଣସି ସୁଯୋଗ ହାତଛଡା କରି ନାହାନ୍ତି । ଏବେ ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ଏକ ନିଷ୍ପତି ବିରୋଧରେ ବିହାରରେ ରାଜନେତାଙ୍କଠୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷର ସ୍ୱର ଉଠିିଛି । ଏବେ ମାମଲା କରୋନାକୁ ନେଇ ନୁହେଁ ବରଂ ନଦୀ ଉପରେ ବ୍ୟାରେଜ୍ ନିର୍ମାଣକୁ ନେଇ ରହିଛି ।

ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ ବିହାରୀଙ୍କ ପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦ ବିହାର ଓ ଉତର ପ୍ରଦେଶ ସୀମାରେ ବ୍ୟାରେଜ ନିର୍ମାଣ କରି ନଦୀର ମୁଖ୍ୟଧାରାକୁ ବଦଳାଇବା ୟୁପି ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି । ଏହାକୁ ନେଇ ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠାରେ ଫେରାଦ ହୋଇଛନ୍ତି । ଏପରିକି ଜଳ ସମ୍ବଳ ମନ୍ତ୍ରୀ ସଞ୍ଜୟ ଝା ବିଭାଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବ୍ୟାରେଜ୍ ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ପର୍ଯ୍ୟଟନ ମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଉତର ପ୍ରଦେଶ ଦ୍ୱାରା ଦୁଇ ରାଜ୍ୟ ସୀମାରେ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଉଛି । ଏଥିରେ ଉତର ପ୍ରଦେଶ ନଦୀଗୁଡିକର ମୁଖ୍ୟଧାରା ବିହାରର ଗଣ୍ଡକ ନଦୀରେ ମିଶିଯିବ । ଫଳରେ ଚମ୍ପାଚରଣ ଡ୍ୟାମ ଉପରେ ଚାପ ପଡିବ । ଏହାର ପ୍ରଭାବ ଯୋଗାପଟ୍ଟି, ବୋରିଆ ଓ ନୌତନ ଉପଖଣ୍ଡ ଉପରେ ପଡିବ । ନଦୀରେ ବନ୍ୟା ଆସିଲେ ଏହି ସବୁ ଅଂଚଳ ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଲେଖିିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ଯୋଜନାର ପ୍ରଭାବ ବିହାରର ପଶ୍ଚିମ ଚମ୍ପାଚରଣ ଜିଲ୍ଲାର ଅନେକ ଉପଖଣ୍ଡର ଗାଁ ଗୁଡିକ ଉପରେ ପଡିବ । ଗାଁ ଲୋକଙ୍କ ମତରେ ସେମିତିରେ ଉତର ପ୍ରଦେଶର ଅନେକ ଗାଁ ବନ୍ୟାରେ ପ୍ରଭାବିତ ହୁଅନ୍ତି । ଏବେ ଯୋଗୀ ସରକାରଙ୍କ ନଦୀ ଉପରେ ବ୍ୟାରେଜ ନିର୍ମାଣ ନିଷ୍ପତିରେ ବିହାରରେ ମଧ୍ୟ ବନ୍ୟାର ପ୍ରକୋପ ଦେଖିବାକୁ ମିଳିବ ।