୪ ମାସ କ୍ରିକେଟରୁ ଦୂରରେ ରହିବେ ଦୀପକ ଚହର, ଖେଳି ନପାରନ୍ତି ଟି-୨୦ ବିଶ୍ଵ କପ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର ଆହତ କାରଣରୁ ଚାରି ମାସ ଯାଏଁ କ୍ରିକେଟରୁ ଦୂରରେ ରହି ପାରନ୍ତି। ଦୀପକ ସଂପ୍ରତି ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଅଛନ୍ତି। ସେ କ୍ଵାଡ୍ରିସେପ୍ସ ସମ୍ଵନ୍ଧିତ ସମସ୍ୟାରୁ ମୁକୁଳୁଛନ୍ତି। ତେବେ ନେଟ୍ସରେ ବୋଲିଂ ଅଭ୍ୟାସ୍ କରିବା ସମୟରେ ତାଙ୍କୁ ନୂତତ ଆଘାତ ଲାଗିଛି। ସେ ପୂର୍ବରୁ ହିଁ ଆଇପିଏଲ ୨୦୨୨ରୁ ବାଦ୍ ପଡିଥିଲେ। ମାତ୍ର ତାଜା ଆଘାତରୁ ସ୍ପଷ୍ଟ ହୋଇଛି ଯେ, ସେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପରୁ ବାଦ୍ ପଡି ପାରନ୍ତି।

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ, ଦୀପକ ଚହର ଆଇପିଏଲ ୨୦୨୨ର ମଧ୍ୟ ଭାଗକୁ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗ ଦେବେ। ମାତ୍ର ଏମିତି ହୋଇ ପାରି ନାହିଁ। ଚେନ୍ନାଇ ଦୀପକଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା। ତେବେ ନୂତନ ଆଘାତ ଲାଗିବା ପରେ ତାଙ୍କର ସ୍କାନ କରାଯାଇଥିଲା। ତେବେ ଆଘାତ ଗୁରୁତର ଥିବାରୁ ସେ ଦୀର୍ଘ ଦିନ କ୍ରିକେଟର ଦୂରେଇ ରହିବାର ସମ୍ଭାବନା ରହିଛି। ଏଥିରୁ ସ୍ପଷ୍ଟ ଲାଗୁଛି ଯେ, ଦୀପକ ଚହର ଟି-୨୦ ବିଶ୍ଵ କପରୁ ବାଦ୍ ପଡି ପାରନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଚହରଙ୍କ ଆଘାତ ଗମ୍ଭୀର ରହିଛି। ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏନସିଏରେ ଝାଳବୁହା ପରିଶ୍ରମ କରୁଥିଲେ। ସେ ଆଶା ରଖିଥିଲେ ଯେ, ଆଇପିଏଲର ମଧ୍ୟଭାଗକୁ ନିଜ ଫ୍ରାଞ୍ଚାଇଜି ଚେନ୍ନାଇରେ ଯୋଗ ଦେବେ। ତେବେ ଆଉ ଏକ ଝଟକା ତାଙ୍କ ଆଶାକୁ ଧୂମିଳ କରି ଦେଇଛି। ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସ ପାଓ୍ଵାର ପ୍ଲେରେ ଓ୍ଵିକେଟ୍ ନେବାକୁ ସଂଘର୍ଷ କରୁଛି।