fbpx

ଜି ୨୦ ଶିଖର ସମ୍ମିଳନୀ: ସାବରମତୀ ଆଶ୍ରମ ସହ ପରିଚିତ କରାଇବା ସହ ବିଶ୍ୱନେତାଙ୍କୁ ପ୍ରଧାନମନ୍ତ୍ରୀ ପିନ୍ଧାଇଲେ ଖଦୀ ଅଙ୍ଗ ବସ୍ତ୍ର

ନୂଆଦିଲ୍ଲୀ: ଭାରତରେ ଜି୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଶିଖର ସମ୍ମିଳନୀର ବୈଠକ ପୂର୍ବରୁ ଜି ୨୦ ଦେଶର ନେତା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ପହଞ୍ଚିଥିଲେ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ଛିଡା ହୋଇ ବିଦେଶୀ ଅତିଥିଙ୍କୁ ଅଭିବାଦନ ଜଣାଉଥିଲେ ଠିକ୍ ତାଙ୍କ ପଛରେ ସାବରମତୀ ଆଶ୍ରମର ଚିତ୍ର ଲାଗିଥିଲା । ପ୍ରଧାନମନ୍ତ୍ରୀ ପ୍ରଥମେ ସମସ୍ତ ଅତିଥିଙ୍କୁ ଖଦିର ଅଙ୍ଗବସ୍ତ୍ର ପିନ୍‌ଧାଇ ସ୍ୱାଗତ କରିଥିଲେ ଓ ପରେ ସାବରମତୀ ଆଶ୍ରମ ବିଷୟରେ ସମସ୍ତଙ୍କୁ ବୁଝାଇ କହିଥିଲେ ।

ସାବରମତୀ ଆଶ୍ରମ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ସବୁଠାରୁ ବଡ ମୂକସାକ୍ଷୀ । ସାବରମତୀ ନଦୀ କୂଳରେ ୧୯୧୭ ମସିହାରେ ଏହି ଆଶ୍ରମର ନିର୍ମାଣ ହୋଇଥିଲା । ୧୯୧୭ରୁ ୧୯୩୦ ମସିହା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଏହି ଆଶ୍ରମରେ ରହୁଥିଲେ । ତାଙ୍କର ଅବସ୍ଥାନ ସମୟରେ ସାବରମତୀ ଆଶ୍ରମ ଦାଣ୍ଡୀ ଯାତ୍ରା ଠାରୁ ଆରମ୍ଭ କରି ବହୁ ଐତିହାସକ ଘଟଣାର ମୂକସାକ୍ଷୀ ହୋଇ ରହିଛି । ଏହି ଆଶ୍ରମ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ସଦଭାବନାର ଜ୍ୱଳନ୍ତ ପ୍ରମାଣ । ଜି୨୦ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସ୍ୱାଧୀନତା ସଂଗ୍ରାମରେ ସାବରମତୀ ଆଶ୍ରମର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଏହା ସହିତ ବିଦେଶୀ ଅତିଥିଙ୍କୁ ଖଦୀ ଅଙ୍ଗବସ୍ତ୍ର ପିନ୍ଧାଇବା ସହ ଖଦୀର ଫାଇଦା ବିଷୟରେ ମଧ୍ୟ କହିଥିଲେ । ମହାତ୍ମା ଗାନ୍ଧୀ କିପରି ଚରଖାରେ ନିଜେ ଖଦୀ ବସ୍ତ୍ର ତିଆରି କରି ପିନ୍ଧୁଥିଲେ ସେ ବିଷୟରେ ମଧ୍ୟ ବିଶ୍ୱନେତା ଅବଗତ ହୋଇଥିଲେ ।

Get real time updates directly on you device, subscribe now.