fbpx

ସେଂଟ୍ରାଲ ଭିଷ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଜାରି ରହିବ ଏହାର କାମ, ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଏକ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଦାଖଲ ଆବେଦନ ଉପରେ ସୋମବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଷ୍ପତି ଶୁଣାଇଛନ୍ତି । ହାଇକୋର୍ଟ ଆବେଦନକାରୀଙ୍କୁ କଡା ତାଗିଦ କରି ନିର୍ମାଣ କାର୍ଯ୍ୟକୁ ରୋକା ଯାଇ ପାରିବ ନାହିଁ ବୋଲି କହିଛନ୍ତି । ପ୍ରକଳ୍ପ ଉପରେ ରୋକ୍ ଲଗାଇବା ଆବେଦନକୁ ଖାରଜ କରି କୋର୍ଟ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, ଏହି ଆବେଦନ ରାଜନୈତିକ ପ୍ରେରିତ ଲାଗୁଛି । ସେଂଟ୍ରାଲ ଭିଷ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ପ୍ରକଳ୍ପ ଅଟେ ।

ହାଇ କୋର୍ଟ ବିଚାରପତି ଡିଏନ ପଟେଲ ଓ ବିଚାରପତି ଜ୍ୟୋତି ସିଂହଙ୍କ ପୀଠ ଆବେଦନର ଶୁଣାଣି କରି କହିଛନ୍ତି, ଯଦି ପ୍ରକଳ୍ପରେ କାମ କରୁଥିବା ଶ୍ରମିକ ନିୟୋଜିତ ଅଛନ୍ତି ତେବେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାର ପ୍ରଶ୍ନ ଉଠୁନାହିଁ । ଶ୍ରମିକମାନେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ କାମ କରୁଛନ୍ତି । ଡିଡିଏମଏ ଆଦେଶରେ ମଧ୍ୟ କୌଣସିଠି ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇବା କଥା କୁହାଯାଇ ନାହିଁ । କୋର୍ଟ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇ କହିଛନ୍ତି, ଏହା ଜନସ୍ୱାର୍ଥ ଆବେଦନ ନୁହେଁ ବରଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆବେଦନ ଲାଗୁଛି । ସେଂଟ୍ରାଲ ଭିଷ୍ଟା ଏକ ଜରୁରୀ ପ୍ରକଳ୍ପ । ଏହାକୁ ଆଇସୋଲେସନ କରାଯାଇ ପାରିବ ନାହିଁ ବୋଲି ପୀଠ କହିଛନ୍ତି ।

 

ଉଚ୍ଚ ନ୍ୟାୟାଳୟ ଅନ୍ୟା ମାଲହୋତ୍ରା ଓ ଇତିହାସବିତ ତଥା ଫିଲ୍ମ ନିର୍ମାତା ସୋହେଲ ହାସମିଙ୍କ ଯୁଗ୍ମ ଆବେଦନ ଉପରେ ମେ ୧୭ରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଉଭୟ ନିଜ ଆବେଦନରେ ଯୁକ୍ତି ବାଢିଥିଲେ ଯେ, ପ୍ରକଳ୍ପ ଏକ ଆବଶ୍ୟକ କାର୍ଯ୍ୟ ନୁହେଁ ଏବଂ କିଛି ସମୟ ପାଇଁ ଏହା ଉପରେ ରୋକ୍ ଲଗାଯିବା ଦରକାର । କରୋନା କାଳରେ ଏମିତି କୌଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ମଞ୍ଜୁରୀ ମିଳିବା ଉଚିତ୍ ନୁହେଁ । ଏହି ପ୍ରକଳ୍ପ କାରଣରୁ ଅନେକ ଲୋକଙ୍କ ଜୀବନ ବିପଦରେ ଥିବା ଆବେଦନକାରୀ କହିଥିଲେ ।

କିନ୍ତୁ ସଲିସିଟର ଜେନେରାଲ ତୁଷାର ମେହଟା ଆବେଦନକୁ ଖାରଜ କରିବାକୁ ଅଦାଲତରେ ଦାବି କରିଥିଲେ । ସେ କହିଥିଲେ, ଏହି ପ୍ରକଳ୍ପର କାମ ସମୟରେ ସମସ୍ତ ପ୍ରକାରର କୋଭିଡ୍ ଗାଇଡଲାଇନର ପାଳନ କରାଯାଉଛି ।

Get real time updates directly on you device, subscribe now.