fbpx

ଦିଲ୍ଲୀ ମଦ ଘୋଟାଲାରେ କେଜରିୱାଲଙ୍କୁ ମିଳିଛି ଜାମିନ, ପୂର୍ବରୁ ଅନେକ ମଧ୍ୟ ପାଇଛନ୍ତି ବେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଗିରଫ କରିବାକୁ ନେଇ ଦ୍ୱିମତ ପ୍ରକାଶ ପାଇଛି । କେଜରିୱାଲଙ୍କୁ ଆଜି ସୁପ୍ରିମ କୋର୍ଟ ସିବିଆଇ ଗିରଫଦାରୀରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ମାମଲାକୁ ନେଇ ଶୁଣାଣି କରୁଥିବା ଖଣ୍ଡପୀଠଙ୍କ ମଧ୍ୟରେ ଭିନ୍ନ ମତ ରହିଛି । ଯାହାକୁ ନେଇ ଦୁଇ ସଂସ୍ଥାର କାର୍ଯ୍ୟଧାରା ଉପରେ ଉଠୁଛି ପ୍ରଶ୍ନ । କାରଣ ମାମଲାରେ ଦୁଇ ସଂସ୍ଥା ଯାହାକୁ ବି ଗିରଫ କରିଥିଲେ ସମସ୍ତଙ୍କୁ ମିଳିଛି ଜାମିନ । ଖାଲି ସେତିକି ନୁହେଁ ତଦନ୍ତରେ ମଧ୍ୟ ଉଭୟ ତଦନ୍ତକାରୀ ଏଜେନ୍ସି ହାତରେ ଏଯାବତ୍ ସେମିତିକି କିଛି ସଫଳତା ମିଳିନି ।

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଜାମିନ ମିଳିସାରିଛି । ୨୦୨୩ ଫେବୃଆରୀ ୨୬ରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ପରେ ୨୦୨୩ ମାର୍ଚ୍ଚରେ  ଇଡି ତାଙ୍କୁ ଗିରଫ କରିଥିଲା । କିନ୍ତୁ ଦୀର୍ଘ ଶୁଣାଣି ପରେ ୯ ଅଗଷ୍ଟ ୨୦୨୪ରେ ତାଙ୍କୁ ଜାମିନ ଦେଇଥିଲେ ସୁପ୍ରିମ କୋର୍ଟ ।

ସେହିପରି ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମାମଲାରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ଇଡି  ୪ ଅକ୍ଟୋବର ୨୦୨୩ରେ ଗିରଫ କଲା ଓ ଏପ୍ରିଲ ୨୦୨୪ରେ ସେ ସର୍ବୋଚ୍ଚ ଅଦାଲତରୁ ଜାମିନ ପାଇଛନ୍ତି । ବିଆରଏସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଏହି ମାମଲାରେ ଟାଣି ୧୫ ମାର୍ଚ୍ଚରେ ଗିରଫ କରିଥିବା ବେଳେ ସୁପ୍ରିମ କୋର୍ଟ ଅଗଷ୍ଟ ୨୭ରେ ଜାମିନ ପ୍ରଦାନ କରିଛନ୍ତି । ଆପର ପୂର୍ବତନ ନେତା ବିଜୟ ନାୟରଙ୍କୁ ୨୭ ସେପ୍ଟେମ୍ବର ୨୦୨୨ରେ ସିବିଆଇ ଗିରଫ କରିଥିଲା । ତାଙ୍କ ବିରୋଧରେ ହାୱଲା ଜରିଆରେ ୨୦-୩୦ କୋଟି ନେଣ ଦେଣ ଅଭିଯୋଗ ହୋଇଥିଲା । ତାଙ୍କୁ ମଧ୍ୟ ଚଳିତ ସେପ୍ଟେମ୍ବର ୩ରେ ସୁପ୍ରିମ କୋର୍ଟ ମୁକ୍ତ କରିଥିଲେ ।

ମାମଲା ସହ ଜଡିତ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ପିଲାଇଙ୍କୁ ମାର୍ଚ୍ଚ ୨୦୨୩ରେ ଇଡି ଗିରଫ କରିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ସେପ୍ଟେମ୍ବର ୧୧ ତାରିଖରେ ଜାମିନ ଦେଇଥିଲେ । ସେହିପରି ଅଭିଷେକ ବୋଇନପଲ୍ଲୀଙ୍କୁ ଅରୁଣ ପିଲାଇଙ୍କ ନିକଟତମ ହୋଇଥିବାରୁ ଅକ୍ଟୋବର ୨୦୨୨ରେ ଗିରଫ କରାଯାଇଥିଲା । ଉଭୟ ସିବିଆଇ ଓ ଇଡିର ଗିରଫଦାରୀ ପରେ ସୁପ୍ରିମ କୋର୍ଟରୁ ଚଳିତ ମାର୍ଚ୍ଚରେ ତାଙ୍କୁ ଅନ୍ତରିଣ ଜାମିନ ମିଳିଛି ।

ସମୀର ମହେନ୍ଦ୍ର, ଇଣ୍ଡୋସ୍ପିରିଟ କମ୍ପାନୀ ନିର୍ଦ୍ଦେଶକଙ୍କୁ ମଧ୍ୟ ମାମଲାରେ ୨୦୨୨ରେ ଟଣାଯାଇଥିଲା । ଚଳିତ ସେପ୍ଟେମ୍ବର ୯ରେ ସେ ମଧ୍ୟ ଜାମିନରେ ବାହାରିଛନ୍ତି । ସେହିପରି ଦିଲ୍ଲୀ ବ୍ୟବସାୟୀ ଦିନେଶ ଅରୋରା, ୱାଇଏସଆଇ କଂଗ୍ରେସ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁଙ୍କ ପୁଅ ରାଘବ ମଙ୍ଗୁଟା, ଶରତ ରେଡ୍ଡୀଙ୍କୁ ଗିରଫ କରାଯାଇଥିଲା । ସମସ୍ତେ ଏବେ ଜାମିନରେ ଅଛନ୍ତି । ତେବେ ଶରତ ମାମଲାରେ ଇଡି ପାଇଁ ସାକ୍ଷ୍ୟ ଦେଇଥିଲେ ।

Get real time updates directly on you device, subscribe now.