fbpx

ବଡ଼ ଖବର; ଓୱେସିଙ୍କ ବାସଭବନ ଉପରେ ଆକ୍ରମଣ; ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

Advertisement

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଘର ବାହାରେ ନାରାବାଜି ଓ କଳା କାଳି ଫିଙ୍ଗିବା ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ। ଏହି ଘଟଣାରେ ଏତଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଷ୍ରିଟ୍ ଥାନାରେ ଆଇପିସିର ଧାରା ୧୪୩, ୫୦୬, ୧୫୩ଏ ଏବଂ ୧୪୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗୁରୁବାର ଦିନ କିଛି ଲୋକ ଓୱେସିଙ୍କ ବାସଭବନରେ ହଙ୍ଗାମା କରିଥିଲେ।

ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର କିଛି ଲୋକ ଦିଲ୍ଲୀର ୩୪-ଅଶୋକ ରୋଡରେ ଥିବା ଓୱେସିଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ ଏହି ଲୋକମାନେ ପୋଷ୍ଟର ଲଗାଇଥିଲେ। ଯେଉଁଥିରେ ଲେଖାଥିଲା ଭାରତ ମାତା କି ଜୟ, ମୁଁ ଇସ୍ରାଏଲ ସହ ଅଛି ଏବଂ ଓୱେସିଙ୍କୁ ନିଲମ୍ବିତ କରାଯିବା ଉଚିତ। ଏଥିସହ ତାଙ୍କ ବାସଭବନ ଉପରକୁ କାଳି ଫିଙ୍ଗିଥିଲେ। ଏହି ଘଟଣାରେ ୫ ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି। ଏହି ଲୋକମାନେ ଓୱେସିଙ୍କ ବାସଭବନ ବାହାରେ ପୋଷ୍ଟର ଲଗାଇଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ “ଯେଉଁ ନେତା ‘ଭାରତ ମାତା କି ଜୟ’ ନାରା ଦିଅନ୍ତିନି, ତାଙ୍କ ବିରୋଧରେ ଦେଶର ଯୁବପିଢ଼ି ଏକଜୁଟ ହେବା ଉଚିତ।” ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଦିଲ୍ଲୀ ପୋଲିସ ପୋଷ୍ଟରଗୁଡ଼ିକୁ ହଟାଇ ଦେଇଛି। ତେବେ ପୋଷ୍ଟର ଲଗାଇଥିବା ଲୋକମାନେ ସେତେବେଳକୁ ଚାଲି ଯାଇଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.