fbpx

ଫୁସଫୁସକୁ ଆଟାକ୍ କରୁଛି ଡେଲଟା ପ୍ଲସ୍ ଭାରିଆଣ୍ଟ, ତୃତୀୟ ଲହରକୁ ନେଇ ବଢ଼ିଲା ଚିନ୍ତା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଜାରି ରହିଛି । ଏହି ଭାରିଆଣ୍ଟ ଫୁସଫୁସର କୋଷିକାରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମାତ୍ରାରେ ଲାଗି ରହିଥାଏ । ତେବେ ଏହାର ଅର୍ଥ ଏହା ନୁହେଁ ଯେ, ଏହି ବିମାରି ଅଧିକୟ ଭୟଙ୍କର ହେବା ସହ ଅଧିକ ଲୋକଙ୍କୁ ସଂକ୍ରମଣ କରିବ । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ ଇନ୍ ଇଣ୍ଡିଆ (ଏନଟିଏଜିଆଇ)ର ବରିଷ୍ଠ ଡାକ୍ତର ଏନକେ ଅରୋଡା ଏନେଇ କିଛି ତଥ୍ୟ ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ, ଡେଲଟା ଭାରିଆଣ୍ଟର ଚିହ୍ନଟ ଗତ ୧୧ ତାରିଖରେ ହୋଇଥିବା ବେଳେ ଏହାକୁ ‘ଭାରିଆଣ୍ଟ ଅଫ୍ କନସର୍ଣ୍ଣ’ ରୂପରେ ସୂଚିତ କରାଯାଇଛି । ଦେଶର ୧୨ଟି ରାଜ୍ୟରେ ବର୍ତ୍ତମାନ ଡେଲଟା ପ୍ଲସ୍ ଭାରିଆଣ୍ଟ ଛାଇ ରହିଥିବା ବେଳେ ମୋଟ ୫୧ଟି ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ରରୁ ଡେଲଟା ପ୍ଲସର ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ପ୍ଲସ ଫୁସଫୁସର କୋଷିକା ମଧ୍ୟରେ ଖୁବଶୀଘ୍ର ଲାଗି ରହିଥାଏ । ଆଉ କିଛି ଅଧିକ ମାମଲା ଆସିବା ପରେ ଡେଲଟା ପ୍ଲସ୍ ବିଷୟରେ ଅଧିକ ତଥ୍ୟ ହାସଲ କରିହେବ । କରୋନା ଭ୍ୟାକ୍ସିନର ଗୋଟିଏ କିମ୍ବା ଦୁଇଟି ଡୋଜ୍ ନେଇଥିବା ଲୋକ ଏହି ଭାରିଆଣ୍ଟ ଦ୍ୱାରା ସାମାନ୍ୟ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।

ଏହି ଭାରିଆଣ୍ଟରେ ଯେତିକି ଲୋକ ସଂକ୍ରମିତ ହେଇଛନ୍ତି, ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟା ତା’ଠାରୁ ଅଧିକ ହୋଇପାରେ । କାରଣ ଏହି ଭାରିଆଣ୍ଟର ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇ ଚାଲିଥାଏ । ଡେଲଟା ପ୍ଲସ ଭାରତରେ ତୃତୀୟ ଲହର ଆଣିବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟିକରଣ ବର୍ତ୍ତମାନ ଦେବା ସମ୍ଭବ ନୁହେଁ । ଏହି ଭାରିଆଣ୍ଟ ତୃତୀୟ ଲହରର କାରଣ ହେବ, ତାହା ମୁଖ୍ୟତଃ ଅନେକ ଦିଗ ଉପରେ ନିର୍ଭର କରିଥାଏ । ଦ୍ୱିତୀୟ ଲହରର ସଂକ୍ରମିତ ଉପରେ ତୃତୀୟ ଲହରର ପ୍ରଭାବ ନିଶ୍ଚିତ ଭାବେ ରହିବ । ବର୍ତ୍ତମାନ ଶେଷ ହୋଇନଥିବା ଦ୍ୱିତୀୟ ଲହରରେ ଯଦି ଅଧିକ ଲୋକ ସଂକ୍ରମିତ ହେବେ, ତେବେ ହୁଏତ ତୃତୀୟ ଲହରରେ ଲୋକମାନେ କେବଳ ଥଣ୍ଡା, ସର୍ଦ୍ଦିରେ ଆକ୍ରାନ୍ତ ହୋଇପାରନ୍ତି । ତେଣୁ ଲୋକଙ୍କୁ ଅଧିକମାତ୍ରାରେ ଟିକା ନେବା ଦରକାର । ଗୋଟିଏ କିମ୍ବା ଦୁଇଟି ଡୋଜ୍ ହେଉ, ତାହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଫଳରେ ତୃତୀୟ ଲହର ବେଶି କ୍ଷତି କରିପାରିବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.