ଜରିମାନା ଦେବେ ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓ: ଜାଣନ୍ତୁ କ’ଣ ମାମଲା
୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଉପରେ ୨ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ହାଇକୋର୍ଟ...
କଟକ: ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ୨୦୨୪ ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଜବାବ ଦାଖଲ କରିନପାରିବାରୁ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପରେ ହାଇକୋର୍ଟ ୨ହଜାର ଟଙ୍କା ଜରିମାନା କରିଛନ୍ତି ବୋଲି ଖବର ମିଳିଛି । ତେବେ ଏହି ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜମା କରାଯିବ ।
ତେବେ ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ୨ ହଜାର ଟଙ୍କା ଜରିମାନା କରି ତାଙ୍କ ଜବାବ ଗ୍ରହଣ ନିମନ୍ତେ ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ଉକ୍ତ ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆସୋସିଏଶନ କଲ୍ୟାଣପାଣ୍ଠିିରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପାଟଣାଗଡ଼ ବିଧାନସଭା ଆସନର ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ପକ୍ଷରୁ ଜବାବ ଦାଖଲ ଲାଗି ଅଦାଲତଙ୍କ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ପ୍ରାର୍ଥନାକୁ ଗ୍ରହଣ କରି ଜବାବ ଦାଖଲ ଲାଗି ଅନୁମତି ଦେଇଥିଲେ ମଧ୍ୟ ବିଳମ୍ବ ପାଇଁ ୨ ହଜାର ଟଙ୍କା ଜରିମାନା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣିରେ ଇସ୍ୟୁ ଫ୍ରେମ୍ କରଯିବ । ଅର୍ଥାତ କେଉଁସବୁ ପ୍ରସଙ୍ଗକୁ ନେଇ ମାମଲାର ଶୁଣାଣି ହେବ ତାହା ଧାର୍ଯ୍ୟ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଶ୍ରୀ ମେହେର ତାଙ୍କ ପିଟିସନ୍ରେ ଅଭିଯୋଗ କରିଛନ୍ତି । ତେଣୁ ବିଧାୟକ ଭାବେ ଶ୍ରୀ ସିଂହଦେଓଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବାକୁ ସେ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ଉପମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ । କିନ୍ତୁ ବିଳମ୍ବରେ ଜବାବ ରଖିବାରୁ ହାଇକୋର୍ଟ ଏହି ଜରିମାନା କରିଛନ୍ତି । ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଇନଜୀବୀ ଏନ୍. ଅଗ୍ରୱାଲ ମାମଲା ପରିଚାଳନା କରୁଥିବା ଜଣାପଡ଼ିଛି ।