fbpx

କରୋନାର ତୃତୀୟ ଲହର ସତ୍ତ୍ଵେ ଲାଗିବ ଗଙ୍ଗାସାଗର ମେଳା, ହାଇକୋର୍ଟ ଦେଲେ ଅନୁମତି

କୋଲକାତା : କଲିକତା ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଗଙ୍ଗାସାଗର ମେଳା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ ମେଳାରେ କୋଭିଡ୍ ପ୍ରୋଟୋକଲର ଉଲ୍ଲଂଘନ ହେଲେ ସୂଚିତ କରାଇବା ସହ ପ୍ରବେଶ ଦ୍ଵାରରେ କଟକଣା ଲଗାଇବାକୁ ସୁପାରିଶ କରି ପାରିବ। ମେଳା ଶନିବାରଠୁ ଆରମ୍ଭ ହେଉଛି। ଅଦାଲତ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେଳା ସ୍ଥଳ ସାଗର ଦ୍ଵୀପକୁ ୨୪ ଘଣ୍ଟା ଭିତରେ ‘ଅଧିସୂଚିତ କ୍ଷେତ୍ର’ ଘୋଷିତ କରାଯାଉ।
ଖଣ୍ଡପୀଠ ତିନି ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ରାଜ୍ୟ ସରକାରଙ୍କ ଦ୍ଵାରା ଲାଗୁ କଟକଣା ସୁନିଶ୍ଚିତ ହେଉଛି କି ନାହିଁ ତା ଉପରେ ନଜର ରଖିବେ। ଅଦାଲତ ନିଜ ଆଦେଶରେ କହିଛନ୍ତି, ପ୍ରସ୍ତାବିତ କମିଟିରେ ବିଧାନସଭାର ବିରୋଧୀ ଦଳ ନେତା କିମ୍ଵା ତାଙ୍କ ପ୍ରତିନିଧି, ପଶ୍ଚିମବଙ୍ଗ ମାନବାଧିକାର ଆୟୋଗଙ୍କ ଅଧ୍ୟକ୍ଷ କିମ୍ବା ତାଙ୍କ ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ସଦସ୍ୟ ରହିବେ। ରାଜ୍ୟ ସରକାର ନିଜର ସତ୍ୟପାଠରେ କହିଥିଲେ, ସମସ୍ତ ବନ୍ଦୋବସ୍ତ ଏବଂ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମେଳା ଉପରେ କଟକଣା ଲଗାଇବା ପକ୍ଷରେ ନାହାନ୍ତି।
ସତ୍ୟପାଠରେ ଦର୍ଶାଯାଇଛି ଯେ, ପ୍ରାୟ ୩୦ ହଜାର ଲୋକେ ପ୍ରଥମରୁ ହିଁ ମେଳା ସ୍ଥଳରେ ପହଞ୍ଚି ସାରିଛନ୍ତି। ସାଧୁ ସନ୍ଥ ସହିତ ପ୍ରାୟ ୫୦ ହଜାର ଲୋକ ଅଲଗା ଅଲଗା ସ୍ଥାନରେ ପହଞ୍ଚି ସାରିଛନ୍ତି। ସତ୍ୟପାଠରେ କୁହାଯାଇଥିଲା ଯେ, କୋଭିଡ୍ କାରଣରୁ ଏଥର ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିବ ଏବଂ ପ୍ରାୟ ଚାରିରୁ ପାଞ୍ଚ ଲକ୍ଷ ତୀର୍ଥଯାତ୍ରୀଙ୍କ ଏଠାକୁ ଆସିବାର ଆଶା ରହିଛି।

Get real time updates directly on you device, subscribe now.