fbpx

ଜି ୨୦ରେ ଜୟଶଙ୍କରଙ୍କ ଟିପ୍ପଣୀ:ଜନତାଙ୍କ ସହ ସଂକଟରେ ଛିଡା ହୋଇଥାଏ ଭାରତ କିନ୍ତୁ ଭଗବାନଙ୍କ ଭରସାରେ ଲୋକଙ୍କୁ ଛାଡି ଦେଇଥାନ୍ତି ବିକଶିତ ଦେଶ

ବାରଣାସୀ: ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ସଂକଟ ସମୟରେ ଭାରତ ନିଜ ନାଗରିକଙ୍କ ସହ ବିଦେଶରେ ସବୁବେଳେ ଛିଡା ହୋଇଥାଏ । କିନ୍ତୁ ବିଶ୍ୱର ବିକଶିତ ଦେଶମାନେ ନିଜ ନାଗରିକଙ୍କୁ ସର୍ବଦା ଭଗବାନଙ୍କ ଭରସାରେ ଛାଡି ଦିଅନ୍ତି । ଜୟଶଙ୍କର କାଶୀ ବିଦ୍ୟାପୀଠ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଓ ବୁଦ୍ଧିଜୀବୀମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି । ଭାରତୀୟ ବିଦେଶ ନୀତି: ଉଦ୍ଦେଶ୍ୟ ଓ ବିଶେଷତା ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଜୟଶଙ୍କର ଏହା କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବାରଣାସୀରେ ଅନୁଷ୍ଠିତ ହେଉଥିବା ଜି୨୦ ସମ୍ମିଳନୀରେ ଏସ୍. ଜୟଶଙ୍କର ଅଧ୍ୟକ୍ଷତା କରୁଛନ୍ତି ।

ଜି୨୦ ବୈଠକ ୧୧ଜୁନ୍ ରୁ ଆରମ୍ଭ ହୋଇସାରିଥିବା ବେଳେ ଏହା୧୩ ଜୁନ୍ ପର୍ଯ୍ୟନ୍ତ ଚାଲିବ । ତେବେ ଜୟଶଙ୍କରଙ୍କ ଏହି ଟିପ୍ପଣୀ ଜି ୨୦ ବୈଠକରେ ଯୋଗ ଦେବା ପୂର୍ବରୁ ଆସିଛି । ଏହି ବୈଠକର ଅଧିକାରୀକ ବିଚାର ବିମର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଏକ ବିଶେଷ ଭିଡିଓ ସମ୍ବୋଧନ କରିଛନ୍ତି ।
ଜୟଶଙ୍କର ୟୁକ୍ରେନ୍ ଓ ସୁଦାନରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବା ପ୍ରସଙ୍ଗକୁ ଉଠାଇ କହିଛନ୍ତି, ୟୁକ୍ରେନ୍ ରେ ବିକଶିତ ଦେଶମାନେ ନିଜ ନାଗରିକଙ୍କୁ ଭଗବାନଙ୍କ ଭରସାରେ ଛାଡି ଦେଇଥିଲେ । କିନ୍ତୁ ନରେନ୍ଦ୍ର ମୋଦୀ ସରକାର ସବୁ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ୫ ଜଣ ମନ୍ତ୍ରୀ ଓ ୯୦ଟି ବିମାନ ନିଯୋଜିତ କରିଥିଲେ । ଏହି ସମୟରେ ଜୟଶଙ୍କର ଗତ ୯ ବର୍ଷରେ ବିଦେଶ ନୀତି ସଂପର୍କରେ ମୋଦୀ ସରକାରଙ୍କ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେହିପରି ଅପରେସନ୍ କାବେରୀ ଜରିଆରେ ସୁଦାନରେ ଫସିରହିଥିବା ନାଗରିକଙ୍କୁ ବି ଉଦ୍ଧାର କରାଯାଇଥିଲା । ନେପାଳରେ ଭୂକମ୍ପ ହେଉ କି ମିଆଁମାରରେ ତୋଫାନ ସବୁ ପରିସ୍ଥିତିରେ ଭାରତ ଏହାର ନାଗରିକଙ୍କ ପାଖରେ ଛିଡା ହୋଇଛି ।

ସେ କହିଥିଲେ ଆମେ ବାରଣରାସୀରେ ଜି୨୦ କାର୍ଯ୍ୟକ୍ରମ କରୁଛୁ, ଯେଉଁଥିରେ ଜଳବାୟୁ ପରିବର୍ତ୍ତନ,ଖାଦ୍ୟ ସୁରକ୍ଷା, ଶସ୍ୟ ଅମଳ ବୃଦ୍ଧି ଓ ମାର୍କେଟ୍ ଉପରେ ଚର୍ଚ୍ଚା ହେବ । ଏହା ସହିତ ଜି ୨୦ ପ୍ରତିନିଧିଙ୍କୁ ବାରଣାସୀର ସାଂସ୍ଖୃତିକ ଝଲକ ଦେଖାଇବା ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରଦର୍ଶନୀ ଓ ଭ୍ରମଣର ମଧ୍ୟ ଆୟୋଜନ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଜୟଶଙ୍କର ଓ ଜି ୨୦ ପ୍ରତିନିଧି ଦଶାଶ୍ୱମେଧ ଘାଟରେ ଗଙ୍ଗା ଆରତୀରେ ଭାଗ ନେଇଥିଲେ ।

 

Get real time updates directly on you device, subscribe now.