fbpx

ଡିୱାଲ୍ଡ ବ୍ରେଭିସଙ୍କ ଧମାକା: ୧୬୨ ରନର ବିସ୍ଫୋରକ ଇନିଂସ ଖେଳିଲେ ବେବି ଡିଭିଲିୟର୍ସ, ସାମିଲ ଥିଲା ୧୩ଟି ଛକା

ନୂଆଦିଲ୍ଲୀ: ଜୁନିୟର ଏବି ଡିଭିଲିୟର୍ସ ଭାବେ ପରିଚିତ ଡିୱାଲ୍ଡ ବ୍ରେଭିସ ଆଜି ତାଙ୍କ ନାଁର ପ୍ରମାଣ ଦେଇଛନ୍ତି । ଟି-୨୦ ଇତିହାସରେ ଏକ ଐତିହାସିକ ପାଳି ଖେଳି ସାରା ଦୁନିଆକୁ ସେ ଆଚମ୍ବିତ କରି ଦେଇଛନ୍ତି । ଏହି ପାଳି ସହିତ ସେ ବିଶ୍ୱକୁ ବୁଝାଇ ଦେଇଛନ୍ତି ଯେ, କାହିଁକି ତାଙ୍କୁ ବେବି ଡିଭିଲିୟର୍ସ ବୋଲି ଆଖ୍ୟା ଦିଆଯାଇଛି । ମାତ୍ର ୫୭ ବଲରୁ ୧୬୨ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ବ୍ରେଭିସ । ତେବେ ଏହି ପାଳିରେ ସାମିଲ ରହିଛି ୧୩ଟି ବିଶାଳ ଛକା । ସିଏସଏ ଟି-୨୦ରେ ଏଭଳି କରିସ୍ମା କରି ଦେଖାଇଛନ୍ତି ବ୍ରେଭିସ ।

ଦକ୍ଷିଣ ଆଫ୍ରିକାର ଜୁନିୟର ଏବିଡିଙ୍କୁ ଆଜି ଏକ ଭୟଙ୍କର ରୂପରେ ଦେଖିବାକୁ ମିଳିଛି । ସାଉଥ ଆଫ୍ରିକାରେ ଚାଲିଥିବା ସିଏସଏ ଟି-୨୦ ଲିଗରେ ନାଇଟ୍ସ ବିପକ୍ଷରେ ଏହି ଧୂଆଁଦାର ପାଳି ଖେଳିଛନ୍ତି ବେବି ଡିଭିଲିୟର୍ସ । ଟାଇଟନ୍ସ ପକ୍ଷରୁ ଦଳର ପାଳି ଆରମ୍ଭ କରିବାକୁ ଆସିଥିଲେ ବ୍ରେଭିସ । ଏବଂ ଆସୁ ଆସୁ ବୋଲରଙ୍କୁ ସେ ଟାର୍ଗେଟ କରିଥିଲେ । ଭୟାନକ ମାଡରେ ମାତ୍ର ୧୮ ବଲରୁ ଅର୍ଦ୍ଧଶତକ ଏବଂ ୩୫ ବଲରୁ ସେ ନିଜ ଶତକ ହାସଲ କରି ନେଇଥିଲେ । ତେବେ କେବଳ ଶତକରେ ଅଟକି ନଥିଲା ତାଙ୍କର ଏହି ବିସ୍ଫୋରକ ଇନିଂସ । ୫୭ ବଲରେ ୧୬୨ ରନର ଏକ ବିଶାଳ ରନ କରିଛନ୍ତି ବେବି ଡିଭିଲିୟର୍ସ । ବ୍ରେଭିସଙ୍କର ଏହି ଐତିହାସିକ ପାଳିରେ ୧୩ଟି ଚୌକା ଏବଂ ୧୩ଟି ଛକା ସହ ମୋଟ ୨୬ଟି ବାଉଣ୍ଡ୍ରି ମାରିଛନ୍ତି । ୧୯ ବର୍ଷୀୟ ଏହି ଖେଳାଳିଙ୍କର ଏମିତି ପାଳିକୁ ଦେଖି ଏବେ ସାରା ବିଶ୍ୱ ତାଙ୍କର ଦିୱାନା ପାଲଟି ଯାଇଛି ।

ତେବେ ବ୍ରେଭିସଙ୍କ ଏଭଳି ମାଡରେ ଟାଇଟନ୍ସ ୨୦ ଓଭରରେ ୩ ୱିକେଟ ହରାଇ ୨୭୨ ରନର ଏକ ବିଶାଳ ଟାର୍ଗେଟ ଦେଇଥିଲା । ୨୮୪.୨୧ ଷ୍ଟ୍ରାଇକ ରେଟରେ ସେ ଏହି ପାଳି ଖେଳି ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଦଳ ତରଫରୁ ଓପନିଙ୍ଗ କରିବାକୁ ଆସିଥିବା ବ୍ରେଭିସ ଶେଷ ଓଭରରେ ଆଉଟ ହୋଇଥିଲେ । ତେବେ ଟି-୨୦ କ୍ରିକେଟରେ ସର୍ବଶ୍ରେଷ୍ଠ ପାଳି ଖେଳିବା ରେକର୍ଡରୁ ମାତ୍ର ଅଳ୍ପ ଦୂରରେ ରହିଗଲେ ବ୍ରେଭିସ । ଏହି ରେକର୍ଡ ଏବେ କ୍ରିସ ଗେଲଙ୍କ ନାମରେ ରହିଛି । ଆଇପିଏଲରେ ସେ ୧୭୫ ରନର ପାଳି ଖେଳି ନଟ-ଆଉଟ ରହିଥିଲେ । ତେବେ ବ୍ରେଭିସ ଏହି ଇନିଂସ ସହିତ ଟପ୍ ୫ ତାଲିକାରେ ନିଜ ନାମ ଲେଖାଇଛନ୍ତି ।

Get real time updates directly on you device, subscribe now.