fbpx

ଅଷ୍ଟାଦଶ ଲୋକସଭାର ଆଜି ପ୍ରଥମ ଅଧିବେଶନ: ଓଡ଼ିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ୧୦ ଦିନିଆ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦୁଇ ଦିନ ଅର୍ଥାତ ୨୪ ଓ ୨୫ ତାରିଖରେ ନବ ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

 

ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ଆଜି ନବ ନିର୍ବାଚିତ ସାଂସଦମାନେ ଶପଥ ପାଠ କରିଛନ୍ତି । ତେବେ ସାଂସଦ ଭାବେ ଶପଥ ନେଇଛନ୍ତି ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ।

ସଂସଦ ଅଧିବେଶନ ଆରମ୍ଭ ହେବା ପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦଙ୍କ ଶପଥ ପାଠ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଛନ୍ତି । ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ । ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା । ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ । ଏହାପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ।

Get real time updates directly on you device, subscribe now.