ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ସବୁଠୁ ସପଳ ଦଳ ଭିତରେ ରହିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନା ହୋଇଛି । ଏମିତି ଅନେକ ରେକର୍ଡ ମଧ୍ୟ ରହିଛି, ଯାହାକୁ ଭାଙ୍ଗିବା ଅନ୍ୟ କୌଣସି ଅଧିନାୟକ ପକ୍ଷରେ କଷ୍ଟକର ହୋଇପଡିବ । ଧୋନୀଙ୍କ ଏହି ରେକର୍ଡର ସମକକ୍ଷ ହେବା ତ ଦୂରର କଥା, ଏହାର ଆଖପାଖରେ ମଧ୍ୟ କେହି ପହଞ୍ଚି ପାରି ନାହାନ୍ତି । ଏମିତିକି ଲିଗରେ ସବୁଠୁ ଅଧିକ ଥର ଟ୍ରଫି ହାସଲ କରିଥିବା ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ତାଲିକାରେ ଖୁବ ପଛରେ ରହିଛନ୍ତି ।
ସନରାଇଜର୍ସ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଏହି ରେକର୍ଡ ସୃଷ୍ଟି କରିଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହି ରେକର୍ହରେ କ୍ୟାପଟେନ କୁଲ ମାହିଙ୍କ ନେତୃତ୍ୱରେ ଚେନ୍ନାଇର ସପ୍ତମ ଦଳ ଭାବରେ ଶିକାର ପାଲଟିଛି ହାଇଦ୍ରାବାଦ । ଆଇପିଏଲ ଇତିହାସରେ ୧୫ରୁ ଅଦିକ ତର ପରାସ୍ତ କରିବାରେ କ୍ୟାପଟେନ ଧୋନୀ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିରାଟ କୋହଲିଙ୍କ ଦଳ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଧୋନୀଙ୍କ ନେତୃତ୍ୱରେ ଆରସିବିକୁ ଚେନ୍ନାଇ ସର୍ବାଧିକ ୧୯ଥର ମାତ୍ ଦେଇଛି । ଏହାପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଧୋନୀ ଅଧିନାୟକ ଭାବରେ ୧୮ ଥର ହରାଇଛନ୍ତି । ଏହାସହିତ ମଧ୍ୟ ଦଳର ନେତୃତ୍ୱ ନେଇ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମଧ୍ୟ ମାହି ୧୭ ଥର ବିଜୟୀ ହୋଇସାରିଛନ୍ତି ଏମ.ଏସ ଧୋନୀ ।
ତେବେ ପଞ୍ଜାବ କିଙ୍ଗସ ୧୬ ଥର ପରାଜୟ ବରଣ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୋୟଲ୍ସ ୧୫ ଥର ଲେଖାଏଁ ଧୋନୀଙ୍କ ନେତୃତ୍ୱରେ ପରାସ୍ତ ହୋଇଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଯୋଡି ହୋଇଛି ଆଉ ଗୋଟିଏ ଦଳର ନାଁ, ସନରାଇଜର୍ସ ହାଇଦ୍ରାବାଦ । ତେବେ ଏହି ରେକର୍ଡ ତାଲିକାରେ ଧୋନୀଙ୍କ ପରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଅଧିନାୟକ ଭାବରେ ସେ କେବଳ କୋଲକାତାକୁ ସର୍ବାଧିକ ୧୪ଥର ମାତ୍ ଦେଇଛନ୍ତି । ତେଣୁ ଧୋନୀଙ୍କ ଏହି ରେକର୍ଡକୁ ଅତିକ୍ରମ କରିବା ରୋହିତଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପାରେ ।