fbpx

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଦିନେଶ କାର୍ତ୍ତିକ, ସୋସିଆଲ ମିଡିଆରେ ଶେୟାର କଲେ ଭାବୁକ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ନିଜ ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛନ୍ତି । ଶନିବାର ଦିନେଶ ତାଙ୍କର ୩୯ତମ ଜନ୍ମଦିବସ ପାଳନ ଅବସରରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ନିକଟରେ ତାଙ୍କୁ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବାର ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭାବୁକ ପୋଷ୍ଟ ଶେୟାର କରି ଦିନେଶ କାର୍ତ୍ତିକ ଲେଖିଛନ୍ତି, ‘କିଛି ଦିନରୁ ମୋତେ ଯେଉଁ ସ୍ନେହ, ସମର୍ଥନ ଏବଂ ଭଲପାଇବା ମିଳିଛି ସେଥିପାଇଁ ମୁଁ ଅଭିଭୂତ । ଏହାକୁ ସମ୍ଭବ କରିବା ପାଇଁ ସମସ୍ତ ପ୍ରଶଂସକଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ଏବଂ ହାର୍ଦ୍ଦିକ ଧନ୍ୟବାଦ । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚାର କରିବା ପରେ ଏଭଳି ନିଷ୍ପତ୍ତି ନେଇଛି । ମୁଁ ଅଧିକାରିକ ଭାବେ କ୍ରିକେଟରୁ ଅବସର ଘୋଷଣା କରୁଛି । ନିଜ କ୍ରୀଡ଼ା ଦିନକୁ ପଛରେ ଛାଡ଼ି ଆଗାମୀ ନୂତନ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେଉଛି । ମୋର ସମସ୍ତ କୋଚ୍‌, ଅଧିନାୟକ, ଚୟନକର୍ତ୍ତା, ସାଥି ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋ ଲମ୍ବା ଯାତ୍ରାକୁ ସୁଖଦ ଏବଂ ଆନନ୍ଦଦାୟକ କରିଛନ୍ତି । ଦେଶର ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଅନେକ ପ୍ରଶଂସକ ଏବଂ ବନ୍ଧୁଙ୍କ ସଦ୍ଭାବନା ଅର୍ଜିତ କରିବା ପାଇଁ ମୁଁ ନିଜକୁ ଆହୁରି ଭାଗ୍ୟଶାଳୀ ମନେ କରୁଛି ।’ କାର୍ତ୍ତିକ ଆହୁରି ମଧ୍ୟ କହିଛନ୍ତି ଯେ ଏତେ ବର୍ଷରେ ତାଙ୍କ ମାତା ପିତା ଶକ୍ତି ଏବଂ ସମର୍ଥନର ସ୍ତମ୍ଭ ରହିଆସିଥିଲେ ଏବଂ ତାଙ୍କ ଆଶୀର୍ବାଦ ବିନା ମୁଁ ଏହି ସ୍ଥାନରେ କେବେ ବି ପହଞ୍ଚି ପାରିନଥାନ୍ତି । ମୁଁ ଦୀପିକା(ପତ୍ନୀ) ପ୍ରତି ମଧ୍ୟ ଅନେକ କୃତଜ୍ଞ ଯିଏ ନିଜେ ଜଣେ ପେସାଦାର ଖେଳାଳି । ଆମର ମହାନ ଖେଳର ସମସ୍ତ ପ୍ରଶଂସକଙ୍କୁ ଅନେକ ଅନେକ ଧନ୍ୟବାଦ । ଆପଣଙ୍କ ସମର୍ଥନ ଏବଂ ଶୁଭକାମନା ବିନା କ୍ରିକେଟ ଏବଂ କ୍ରିକେଟ ଖେଳାଳିଙ୍କ ଅସ୍ତିତ୍ୱ ବିଦ୍ୟମାନ ନଥାନ୍ତା ।

୨୦୦୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଦିନେଶ କାର୍ତ୍ତିକ । ସେହି ବର୍ଷ ସେପ୍ଟେମ୍ବର ୫ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ଼୍‌ସରେ ଦିନିକିଆ ଡେବ୍ୟୁ କରିଥିଲେ । ସେହିପରି ୨୦୦୬ ଡିସେମ୍ବର ୧ରେ ଦକ୍ଷିଣ ଆଫ୍ରିକାର ଜୋହାନିସବର୍ଗରେ ଟି୨୦ରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ଦିନେଶ ୨୬ଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ୯୫ ଦିନିକିଆ ଏବଂ ୬୦ଟି ଟି୨୦ ମ୍ୟାଚର ପ୍ରତିନିଧିତ୍ୱ କରିଛନ୍ତି । ମାତ୍ର ୧୯ ବର୍ଷରେ ଡେବ୍ୟୁ କରିଥିବା ଦିନେଶ ଖେଳିଥିବା ସମସ୍ତ ଦିନିକିଆ ମ୍ୟାଚରେ ମୋଟ୍ ୧୭୯୨ ରନ୍ ସଂଗ୍ରହ କରିବା ସହ ୯ଟି ଅର୍ଦ୍ଧଶତକ କରିଛନ୍ତି । କେବଳ ଏତିକି ନୁହେଁ ଆଇପିଏଲ ଇତିହାସରେ ଶ୍ରେଷ୍ଠ ୧୦ ଜଣ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି । ଏହା ସହ ସେ ଆଇପିଏଲରେ ୨୫୭ ମ୍ୟାଚ୍ ଖେଳିଛନ୍ତି ଯେଁଉଥିରୁ ୨୨ଟି ଅର୍ଦ୍ଧଶତକ କରିଛନ୍ତି । ଆଇପିଏଲରେ ୧୪୭ କ୍ୟାଚ୍ ଏବଂ ୩୭ ଷ୍ଟମ୍ପ୍ ମଧ୍ୟ ନେଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟତୀତ ସେ କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଲାୟନ୍ସ ପାଇଁ ଖେଳିଛନ୍ତି ।

 

Get real time updates directly on you device, subscribe now.