ଭୁବନେଶ୍ୱର,୨୨।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀ (ଡିସ୍କମ୍) ଭାରତର ୬୩ଟି ବିଦ୍ୟୁତ୍ ୟୁଟିଲିଟି ମଧ୍ୟରେ ଶ୍ରେଷ୍ଠ ଜାତୀୟ ର୍ୟାଙ୍କିଂ ହାସଲ କରିଛି, ଯାହା ଏହି କ୍ଷେତ୍ରରେ ଏହାର ନେତୃତ୍ୱକୁ ଦୋହରାଉଛି। ଆର୍ଥିକ ସ୍ଥାୟିତ୍ୱ, ପ୍ରଦର୍ଶନ ଉତ୍କର୍ଷତା ଓ ବାହ୍ୟ ପରିବେଶ ଭଳି ମାନଦଣ୍ଡ ଆଧାରରେ ୟୁଟିଲିଟିଗୁଡ଼ିକର ଅନୁଶୀଳନ କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଉନ୍ମୋଚନ କରାଯାଇଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ବିଦ୍ୟୁତ୍ କ୍ଷେତ୍ରର ଏକ ଆଞ୍ଚଳିକ ସମୀକ୍ଷା ବୈଠକରେ ଏହି ର୍ୟାଙ୍କିଂକୁ ଜାରି କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମାନ୍ୟବର ଶକ୍ତି, ହାଉସିଂ ଓ ସହରାଚଂଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ୬୩ ବିତରଣ ୟୁଟିଲିଟିଗୁଡ଼ିକର ତ୍ରୟୋଦଶ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ), ଡିସକମଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସଆରଡି) ରିପୋର୍ଟର ଚତୁର୍ଥ ସଂସ୍କରଣ ଓ ବିତରଣ ୟୁଟିଲିଟି ର୍ୟାଙ୍କିଂ (ଡିୟୁଆର୍) ରିପୋର୍ଟର ପ୍ରଥମ ସଂସ୍କରଣ ଭଳି ତିନିଟି ରିପୋର୍ଟକୁ ଉନ୍ମୋଚନ କରିଥିଲେ।
୬୩ ବିତରଣ ୟୁଟିଲିଟିଗୁଡ଼ିକର ତ୍ରୟୋଦଶ ସମନ୍ୱିତ ରେଟିଂ (୨୦୨୩-୨୪ ଆର୍ଥିକ ବର୍ଷ) ରିପୋର୍ଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟିପିସିଓଡିଏଲ୍, ଟିପିଏନଓଡିଏଲ ଏବଂ ଟିପିଡବ୍ଲୁଓଡିଏଲ୍ ଏ+ ରେଟିଂ ବଜାୟ ରଖିଛନ୍ତି। ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ପରିଚାଳିତ ହେଉଥିବା ଏହି ଡିସକମ୍ଗୁଡ଼ିକ ପରିଚାଳନା ଦକ୍ଷତା ଓ ଆର୍ଥିକ ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଆଣି ବିଦ୍ୟୁତ୍ ବଂଟନରେ ସହଯୋଗିତା ଭିତ୍ତିକ ପ୍ରଶାସନର ସଫଳତା ପାଇଁ ଉଦାହରଣ ପାଲଟିଛନ୍ତି।
ଡିସକମର ଗ୍ରାହକ ସେବା ରେଟିଂ (ସିଏସଆରଡି) ରିପୋର୍ଟର ଚତୁର୍ଥ ସଂସ୍କରଣ ରିପୋର୍ଟରେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡିଡିଏଲ୍) ଓ ଟାଟା ପାୱାର କମ୍ପାନୀ ଲିମିଟେଡ୍ (ଟିପିସିଏଲ୍) ମୁମ୍ବାଇ ସର୍ବୋଚ୍ଚ ଏ+ ରେଟିଂ ହାସଲ କରିଛନ୍ତି। ଯାହା ଗ୍ରାହକ ସେବା ଉତ୍କର୍ଷତାରେ ଏହାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିପାରିଛି।
ବିତରଣ ୟୁଟିଲିଟି ର୍ୟାଙ୍କିଂ (ଡିୟୁଆର୍) ରିପୋର୍ଟର ପ୍ରଥମ ସଂସ୍କରଣରେ ବିତରଣ ୟୁଟିଲିଟି ବର୍ଗରେ ଟିପିଡବ୍ଲୁଓଡିଏଲ୍ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଟିପିଡିଡିଏଲ୍ ସହରାଞ୍ଚଳ ଡିସକମ୍ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ରହିଛି , ଯାହା ବିବିଧ ବଣ୍ଟନ ନେଟ୍ୱର୍କକୁ ଦକ୍ଷତାର ସହ ପରିଚାଳନା କରିବାରେ ଟାଟା ପାୱାରର କ୍ଷମତାକୁ ପ୍ରତିଫଳିତ କରୁଛି।
ଏହି ସଫଳତା ସମ୍ପର୍କରେ ଟାଟା ପାୱାରର ଏମ୍ଡି ଓ ସିଇଓ ଡ.ପ୍ରବୀର ସିହ୍ନା କହିଛନ୍ତି ଯେ, ‘ଏହି ଜାତୀୟ ମାନ୍ୟତା ଦେଶର ଅଗ୍ରଣୀ ସରକାରୀ-ଘରୋଇ ବିଦ୍ୟୁତ ବିତରଣ କମ୍ପାନୀ ଭାବେ ଓଡ଼ିଶା ଡିସକମର ସ୍ଥିତିକୁ ଦୃଢ଼ କରିଛି। ଓଡ଼ିଶା ସରକାର ଏବଂ ଆମର ଉତ୍ସର୍ଗୀକୃତ କର୍ମଚାରୀଙ୍କ ସମର୍ଥନ, ଅତ୍ୟାଧୁନିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା, ପରିଚାଳନାଗତ ଉତ୍କର୍ଷରେ ଉନ୍ନତି ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ପ୍ରତି ଗଭୀର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଦ୍ୱାରା ଆମ ସଫଳତା ଆଗକୁ ବଢ଼ୁଛି। ଆମ ଓଡ଼ିଶା ମଡେଲ ଭାରତରେ ବିଦ୍ୟୁତ ବଣ୍ଟନରେ ସଂସ୍କାର ପାଇଁ ଏକ ମାନଦଣ୍ଡ ଭାବେ ଉଭା ହୋଇଛି। କିଭଳି ଘରୋଇ ସରକାରୀ ସହଯୋଗିତା ଫ୍ରେମୱର୍କ ଅଧୀନରେ ଡିସକମଗୁଡ଼ିକ ଦକ୍ଷତା ଏବଂ ଗ୍ରାହକ-କୈନ୍ଦ୍ରିକତା ହାସଲ କରିପାରିବ ତାହା ଦର୍ଶାଉଛି। ଦେଶରେ ଶକ୍ତି ବିତରଣ କ୍ଷେତ୍ରରେ ନବସୃଜନ ଏବଂ ନୂତନ ମାନଦଣ୍ଡ ସ୍ଥାପନ କରିବା ଜାରି ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’
ଟାଟା ପାୱାରର୍ ବିଦ୍ୟୁତ ବିତରଣ ସେବା ନୂଆଦିଲ୍ଲୀ, ଓଡ଼ିଶା (ପୂର୍ବ, ପଶ୍ଚିମ, କେନ୍ଦ୍ର ଓ ଦକ୍ଷିଣାଚଂଳ), ମୁମ୍ବାଇ ଓ ଆଜମେର୍ରେ ୧୩ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରି ଲୋ-କାର୍ବନ, ଶକ୍ତି-ସୁରକ୍ଷିତ ଭବିଷ୍ୟତ ଆଡ଼କୁ ଭାରତ ଅଗ୍ରସର ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଡ. ସିହ୍ନା କହିଛନ୍ତି ।