fbpx

କର୍ମଚାରୀଙ୍କୁ ଯୋଗୀଙ୍କୁ ଉପହାର: ଡିଏ-ଡିଆରେ ବମ୍ପର ବୃଦ୍ଧି, ବୋନସ ସହ ଆକାଉଣ୍ଟକୁ ଆସିବ ଟଙ୍କା

ଲଖନଉ: ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଦୀପାବଳିର ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ବୋନସ୍ ସହ ଡିଏ ଓ ଡିଆର ଦେବାକୁ ଘୋଷଣା କରିଛନ୍ତି । ଡିଏ-ଡିଆରରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହା ସହିତ ବୋନସ ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟେକ କର୍ମଚାରୀଙ୍କୁ ୬୯୦୮ ଟଙ୍କା ବୋନସ ଦିଆଯିବ । ୟୁପି କର୍ମଚାରୀଙ୍କ ମହଙ୍ଗା ଭତ୍ତା ପୂର୍ବରୁ ୩୪ ପ୍ରତିଶତ ଥିଲା, ଯାହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ୧ ଜୁଲାଇ ୨୦୨୨ ରୁ ଲାଗୁ ହୋଇଛି ।

ସରକାରଙ୍କ ଘୋଷଣା ପରେ ୟୁପି କର୍ମଚାରୀଙ୍କ ମହଙ୍ଗା ଭତ୍ତା କେନ୍ଦ୍ରୀୟ କର୍ମଚାରୀଙ୍କ ସହ ସମାନ ସ୍ତରକୁ ବୃଦ୍ଧି ପାଇଛି । ନିକଟରେ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଦୀପାବଳି ପୂର୍ବରୁ ସିଏମ ଯୋଗୀ ମଧ୍ୟ ବୋନସକୁ ଅନୁମୋଦନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ୬୯୦୮ ବୋନସ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ୱିଟ୍ କରି ରାଜ୍ୟର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ୟୁପି ସରକାରଙ୍କ ଏହି ନିଷ୍ପତ୍ତି ପରେ ୧୮ ଲକ୍ଷ ସରକାରୀ କର୍ମଚାରୀ ଏବଂ ରାଜ୍ୟର ବିଭିନ୍ନ ବିଭାଗର ୧୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ତେବେ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତାରେ ସଂଶୋଧନ କରନ୍ତି । ସୂଚନାଯୋଗ୍ୟ ଯେ, ଏହି ବୃଦ୍ଧି ୧ ଜୁଲାଇ ୨୦୨୨ ରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି, ଯାହାଫଳରେ ରାଜ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ମାସରେ ୩ ମାସର ବକେୟା ପାଇବେ ।

Get real time updates directly on you device, subscribe now.