ଟେନିସ୍ ଖେଳାଳିଙ୍କୁ ବିଷ ଦେଲେ ଅଷ୍ଟ୍ରେଲିଆ ସରକାର: ଗଣମାଧ୍ୟମ ଆଗରେ ଖୋଲିଲେ ମୁହଁ
ଷ୍ଟାର୍ ଟେନିସ୍ ଖେଳାଳିଙ୍କୁ ଦିଆଗଲା ଖାଇବାରେ ବିଷ। କାହିଁକି ଏପରି ଷଡ଼ଯନ୍ତ୍ର କରିଲେ ସରକାର। ନୋଭାକ୍ ଜୋକୋଭିଚ୍ଙ୍କ ବିସ୍ଫୋରକ ଅଭିଯୋଗ।
ନୂଆଦିଲ୍ଲୀ: ଷ୍ଟାର୍ ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ଙ୍କୁ ଖାଇବାରେ ଦିଆଯାଉଥିଲା ବିଷ। ତାହା ପୁଣି ଅଷ୍ଟ୍ରେଲିଆରେ। ନିଜେ ଜୋକୋଭିଚ୍ କହିଛନ୍ତି ଯେ ତାଙ୍କୁ ଅଷ୍ଟ୍ରେଲିଆର ଏକ ହୋଟେଲରେ ଗୃହବନ୍ଦୀ କରି ରଖାଯାଇଥିଲା।
ଏଥି ସହ ତାଙ୍କୁ ବାଧ୍ୟ କରାଯାଉଥିଲା ବିଷାକ୍ତ ଖାଦ୍ୟ ଖାଇବାକୁ। ଜୋକୋଭିଚ୍ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଦାବି କରିଛନ୍ତି ଯେ ମେଲବର୍ଣ୍ଣର ଏକ ହୋଟେଲରେ ଅଟକ ଥିବା ବେଳେ ତାଙ୍କୁ ‘ବିଷ’ ଦିଆଯାଇଥିଲା।
ତେବେ ଜୋକୋଭିକ୍ ଏବେ କହିଛନ୍ତି ଯେ ସେ ଟେନିସ୍ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।
ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ ପାଇଁ ମେଲବର୍ଣ୍ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ସାମ୍ବାଦିକମାନେ ଜୋକୋଭିଚ୍ଙ୍କୁ ଏ ସମ୍ପର୍କରେ ଅଧିକ ତଥ୍ୟ ମାଗିଥିଲେ, କିନ୍ତୁ ସେ ମଝିରେ ଉଠି ଚାଲିଯାଇଥିଲେ।
ଭିସା ବାତିଲ: ୧୦ ଥର ଚାମ୍ପିୟନ ହୋଇଥିବା ସର୍ବିଆର ଟେନିସ୍ ଖେଳାଳି ଜୋକୋଭିଚ୍ କୋଭିଡ୍-୧୯ ଟିକା କରଣ ଅଭାବରୁ ୨୦୨୨ରେ ଭିସା ବାତିଲ କରିଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହରରୁ ବିତାଡିତ କରାଯାଇଥିଲା।
ନୋଭାକ୍ ଜୋକୋଭିଚ୍ଙ୍କ ଭିସାକୁ ଅଷ୍ଟ୍ରେଲିଆ ସରକାର ଦେଶର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବାତିଲ କରିଥିଲେ। ଜିକ୍ୟୁ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଜୋକୋଭିଚ୍ କହିଛନ୍ତି ଯେ ତାଙ୍କୁ ବିଷ ଦିଆଯାଇଥିଲା।
“ମୁଁ ଅନୁଭବ କଲି ଯେ ମେଲବର୍ଣ୍ଣର ଏକ ହୋଟେଲରେ ମୋତେ ଏପରି କିଛି ଖାଇବାକୁ ଦିଆଯାଇଥିଲା ଯେଉଁଥିରେ ବିଷ ଥିଲା । ମୁଁ ପ୍ରକୃତରେ ଅତ୍ୟଧିକ ମେଟାଲ୍ ଖାଇଥିଲି। ମୁଁ ବହୁତ ଲିଡ୍ ଖାଇଥିଲି।”
ସେପଟେ ଏହି ମାମଲାରେ ଅଷ୍ଟ୍ରେଲିଆ ଗୃହ ମନ୍ତ୍ରାଳୟ କହିଛି, “ଗୋପନୀୟତା କାରଣରୁ ଆମେ ବ୍ୟକ୍ତିଗତ ମାମଲାର ଜବାବ ଦେବାକୁ ଅସମର୍ଥ।”